Unknown

 

 

 

 

 

 

 

 

 

ସ୍ଫୁଲିଙ୍ଗ

କୁନ୍ତଳା କୁମାରୀ ସାବତ

 

ସୂଚୀପତ୍ର

 

୧.

ତରୁଣର ଆବାହନ

୨.

ମା

୩.

ଭାରତମାତା

୪.

ହାହାକାର

୫.

ପୁରୁଣା ଓଡ଼ିଆ

୬.

ଅଳି

୭.

ସାନ୍ତ୍ୱନା

୮.

ସୁପ୍ରଭାତ

୯.

ଭାରତ-ରମଣୀ

୧୦.

ମଣିଷ ଭାଇ

୧୧.

ଚାଲ

୧୨.

ମାଗୁଣି

୧୩.

ପ୍ରାର୍ଥନା

୧୪.

ଆଶ୍ଳେଷ

୧୫.

ମୋ’ କରଣି

୧୬.

ନିର୍ମାଖୀ

୧୭.

ଶ୍ରୀଛାମୁ

୧୮.

ନରନାରାୟଣ

୧୯.

ବିଷାଦିତର ବିଶ୍ୱାସ

୨୦.

ଅଭୟପଦ

୨୧.

ନାରୀ-ଶକ୍ତି

୨୨.

ସାହସ

୨୩.

ସୌଭାଗ୍ୟ

୨୪.

ଆତ୍ମବଳ

୨୫.

ମିଳନ

୨୬.

ନିସ୍ୱାର୍ଥ

୨୭.

ଅମୃତ ସନ୍ତାନ

୨୮.

ଅପୂର୍ଣ୍ଣତା

୨୯.

ମଣିଷପଣିଆ

୩୦.

ପାଦଚିହ୍ନ

୩୧.

ଅଭିଶପ୍ତର ଅଭିମାନ

•••

 

ତରୁଣର ଆବାହନ

 

(୧)

ନିରାଶାର ଗିର ନ ଘୋଷୁ ରସନା,

ନ ବାଜୁ ତାହା ଏ ଜାତି ଶ୍ରବଣରେ,

ଦେଢ଼କୋଟି ପ୍ରାଣ ନବଜାଗରଣେ

ଦିଅ ଉଠିବାକୁ ନବ ବିକ୍ରମରେ ।

କିପାଁ ଧୂଳିତଳେ ରଚି ମୃତ୍ୟୁ-ଶେଯ

ହରାଇବେ ସର୍ବେ ନର ବୀର୍ଯ୍ୟ ତେଜ,

ଅନନ୍ତ ମରଣ ଏ ଜାତି କପାଳେ

ଲେଖିନାହିଁ ବିଶ୍ୱଧାତ୍ରୀ,

ଉଠିବେ ଉଠିବେ ଦେଢ଼କୋଟି ଆତ୍ମା

ଅମୃତପଥଯାତ୍ରୀ ।

କିଏ କହେ ନାହିଁଆମର ସାହସ,

କିଏ କହେ ଆମେ ଅଜ୍ଞାନ ଅଳସ ?

କିଏ କହେ ମୃତ ଓଡିଆର ପ୍ରାଣ,

ଚିର ଅବସାନ ତା ଗୌରବ, ଟାଣ ?

ପରପଦାହତ, ଦୁର୍ବଳ ଭୀରୁ,

ନିତ୍ୟ ଲାଜେ ମ୍ରିୟମାଣ ।

ପଡିଅଛି ଭାଙ୍ଗି ଦୁର୍ଗ ବାରବାଟୀ,

କୋଣାର୍କ ଶିଖର ଚୁମ୍ୱିଅଛି ମାଟି;

ନୀଳଚକ୍ର ବାନା ଲୋଟିଛି ଧୂଳିରେ,

ପୋତି ପଡ଼ିଅଛି ଚିଲିକା ବାଲିରେ;

ଆଉ ନ ନାଚଇ ଓଡ଼ିଆ ବୋଇତ

ନୀରଧି-ତରଙ୍ଗ ରଙ୍ଗେ ଆଲିଙ୍ଗିତ;

ନୀରବ ଉତ୍କଳ ସାରଳା ସଙ୍ଗୀତ

ହଜିଅଛି ଚିର ଏ ଜାତି ବିଭବ,

ରସାତଳେ ଲୀନ ଓଡ଼ିଆ ଗରବ;

ଛିନ୍ନ ଭିନ୍ନ ଅଙ୍ଗେ, ମରଣ ଉତ୍ସଙ୍ଗେ

ନବଜାଗରଣ ଆଉ କି ସମ୍ଭବ ?

ଦିଅ ମରିବାକୁ ଶାନ୍ତି ସୁଧୀରେ

ଆଉ ନ ଉଠିବ ଏ ଜାତି ମହୀରେ,

ନ କହ ନ କହ ଏ କୈତବ-ବାଣୀ

ଜାତି କର୍ଣ୍ଣପୁଟେ, କ୍ଷୀଣ ପ୍ରାଣ ତାର

କରିବ ତା ଶୋକେ ଆର୍ତ୍ତ ହାହାକାର,

ସ୍ମରି ନିଜ ଦୁଃଖ ଦୁର୍ଦ୍ଦଶା ଦୀନତା,

ନିଜ ନେତ୍ରେ ତାର ବଢ଼ିବ ହୀନତା,

କିପାଁ ଅକାରଣେ ଦେଶମାତୃପ୍ରାଣେ

କ୍ଳେଶରଖା ଟାଣି ଲଭିବ କଷଣ,

ଉଠୁ ଉଠୁ ସେହି ଉପେକ୍ଷି ମରଣ ।

ହୃଦୟସ୍ପନ୍ଦନ ହଜିନାହିଁ ତାର,

ଶିରାରେ ଶିରାରେ ବହେ ପ୍ରାଣଧାର,

କିପାଁ କହୁଅଛ ଦୁର୍ଭିକ୍ଷ, ବନ୍ୟା, ବ୍ୟାଧି

ସାରିଅଛି ସର୍ବ,

ଦୈନ୍ୟ ହରିଛି ମଣିଷପଣିଆ,

ମଥା ଟେକିବାର ଗର୍ବ ?

ନ କହ ନ କହ ଆଉ,

ଜାଗିଲେଣି ତାର ତରୁଣ ସନ୍ତାନ,

ଘୁଞ୍ଚାଇବେ ମିଳି ମାତୃ ଅପମାନ,

କେ କେତେ ପ୍ରେରଣା ପ୍ରାଣେ ଲଭି ଶୁଭ

ଧରି ହୃଦେ ଦୃଢ଼ ବିଶ୍ୱାସ ଧ୍ରୁବ,

ଜାଗିଛନ୍ତି ନବ କର୍ମେ

ନିରାଶର ବ୍ୟଥା ନ ବାଜୁ ମର୍ମ୍ମେ,

ଦେଶ ନବ ପ୍ରାଣ ପାଉ ।

କିପାଁ ବାଧା ବିଘ୍ନ ପାଷାଣ ଭୀଷଣ

ସ୍ଥାପିବ ଚରଣପ୍ରାନ୍ତେ ଅକାରଣ ?

ହେଉ ଅଗ୍ରସର ନବ ଆନନ୍ଦରେ

ତରୁଣ ବାହିନୀ ନବ ଜୀବନରେ,

ମୃତ୍ୟୁ- ତମସ ଠେଲି ଦୀପ୍ତାଲୋକେ

ଚାଲିଛନ୍ତି ସେନା ସାହସ ପୁଲକେ,

ଚାଲିଛନ୍ତି ବିଶ୍ୱ ଜୟୀ,

ନବ ଯଉବନ ଜନ୍ମାଦନାରେ ଡେଇଁବେ ପର୍ବତ ନଈ ।

ଦେଢ଼ କୋଟି ଭୁଜ ଅଜେୟ ବିକ୍ରମ

ଲଭିବ ସଂହତି, ଅଦ୍ଭୁତ କରମ

ସାଧିବ ଏ ମହୀମଣ୍ଡଳେ; ହେଳାରେ

ନ ଦଳ ତରୁଣ ପ୍ରାଣ ଅବଜ୍ଞାରେ,

ସେ ତରୁଣ ହୃଦ ପ୍ରତି ରକ୍ତବିନ୍ଦୁ

ମିଶି ବିଚରିବ ମହାଶକ୍ତି ସିନ୍ଧୁ ।

କୋଟି କୃଷ୍ଣାର୍ଜ୍ଜୁନ, ସୁଭଦ୍ରା, ସାବିତ୍ରୀ

ଜନମିବେ ଦିନେ ଉତ୍କଳ ପବିତ୍ରି;

ଉତ୍କଳ ସମ୍ୱଳ ସେହିମାନେ ସିନା,

ହେଉନ୍ତୁ ଅଳପ, ଅଗଣା, ଅଚିହ୍ନା !

(୨)

ଦିନେ ରଣପ୍ରାଙ୍ଗଣର ମୃତ୍ୟୁ ନର୍ତ୍ତନେ

ବାଜିଛି ମୁରଲୀ ତାନେ

ଗୀତାର ତତ୍ତ୍ୱ, ଯୋଗ ମହତ୍ତ୍ୱ,

ତରୁଣ ସାରଥି ପ୍ରାଣେ ।

ମହାବୋଧିସତ୍ତ୍ୱ ମୂଳେ,

ତରୁଣ ତପସ୍ୱୀ ମହାଜ୍ଞାନ ଲଭି

ଉଦ୍ଧାରିଲେ ଜୀବକୁଳେ ।

ପର୍ବତ କନ୍ଦରେ ତରୁଣ ଅନ୍ତରେ

ଜାଗିଥିଲା ଯେଉଁ ବାଣୀ,

ମଥା ନତ କରି ଶୁଣିଲା ମେଦିନୀ,

ଉଦ୍ଧରିଲେ କୋଟି ପ୍ରାଣୀ ।

କ୍ରୂର କୃଶ କାଷ୍ଠେ ବହିଥିଲା ଦିନେ

ତରୁଣର ରକ୍ତଧାର,

ନିମଜ୍ଜିଲା ତହିଁ ଅର୍ଦ୍ଧ ଅଦନୀ, ସୃଜିଲା ସେ ପାରାଦାର,

ତରୁଣ ସେ ନାରାୟଣ,

ଯୁଗେ ଯୁଗେ ଅବତରି ମହୀତଳେ

ପ୍ରେମ କରେ ବିତରଣ ।

ଉଦ୍ଧାରିବେ ସେହି ଏ ଦୀନ ଉତ୍କଳ,

ଭଞ୍ଜଭୂମି ଦିନେ ହେବ ଉର୍ଜସ୍ୱଳ ।

ଅନଙ୍ଗ, ଯଯାତି ଆସିବେ ତ ଫେରି,

ବାଜିବ ଓଡ଼ିଆ ଜୟ ତୂରୀ ଭେରୀ ।

ଜାଗିଅଛି ଆଜି ତରୁଣ କେଶରୀ

ନୀଳାଚଳ ପୁଣ୍ୟ ଚୂଳେ,

ବନ୍ଦନାଗୀତି ଗାଇଅଛି ଜଳତରଙ୍ଗ ସାଗର କୂଳେ ।

ଫୁଟିଅଛି ଫୁଲ ନାଗେଶ୍ୱର ବନେ,

ଶୁଭେ ଶଙ୍ଖସ୍ୱନ ଏକାମ୍ର କାନନେ,

ଚାରୁ ଚିତ୍ରୋତ୍ପଳା ସଜାଡ଼ିଛି ମାଳା

ଲଳିତ ନଳିନୀ-ଦଳ ଦାମ ଘେନି,

ପୂଜିବେ ମନ୍ଦାରେ ମଞ୍ଜୁପାଦ ବେନି,

ଆସିବେ ଓହ୍ଳାଇ ସ୍ୱର୍ଗ ସୀମନ୍ତିନୀ,

ତରୁଣର ପ୍ରାଣେ ନବ ସଞ୍ଜୀବନୀ,

ପୂତ ନୀର ସିଞ୍ଚି ମୋହିବେ ମୋହନୀ ।

ଉତ୍କଳର ପ୍ରାଣାସନେ

ଅଭିଷେକ ଆଜି ତରୁଣ ରାଜାର

ପ୍ରେମ-ହେମ ଆଭରଣେ ।

(୩)

ହେଲାଣି ହେଲାଣି ନବ ସୂର୍ଯ୍ୟୋଦୟ,

ଆଉ କି ଲଜ୍ଜା, ଆଉ କି ଭୟ !

ନବ ଯଉବନ ଶିରୀ ସଂପଦେ ହସଇ ପ୍ରକୃତିରାଣୀ,

ନ କହ ନ କହ ଆଉ କର୍ଣ୍ଣମୂଳେ

ନିରାଶା ଭୀଷଣ ବାଣୀ ।

ଚିରରାତି ନାହିଁ କପାଳେ କାହାରି,

ଉଠ ଦେଢ଼କୋଟି ପ୍ରାଣୀ !

ଦେଖ, ତବ ଦ୍ୱାରେ ତରୁଣର ବେଶେ

ଉଭା ରବିପ୍ରଭା ଝରି ସେ କିଏସେ ?

ଆଖିକୋଣେ ତା’ର କି ଜ୍ୟୋତି ରୁଚିର,

ଅଧରେ ମୋହନ ଆଶାମୃତ ଗିର ।

ଦେଢ଼କୋଟି ଭାଇ ଉଠିବେ, ଓଡ଼ିଆ-

ପ୍ରାଣ ନ ମରିବ ଚିର,

ନିଅ ବରି ତବ ତରୁଣତପସ୍ୱୀ,

ତବ ଅରିନ୍ଦମ ବୀର !

ରଚ ରମ୍ୟ ମାଳୀ, ତୁଳସୀ, ମଲ୍ଲିକା,

ଦିଅ ଧାନ, ଦୂବ, ଚନ୍ଦନ ଟୀକା,

ସଜାଡ଼ି ହୃଦୟ-ପୂଣ୍ୟ-ବେଦିକା ।

ନିଅ ବରି ତବ ତରୁଣ ତପସ୍ୱୀ

ତବ ଅରିନ୍ଦମ ବୀର,

ଦେଢ଼କୋଟି ଭାଇ ଉଠ ହେ ଓଡ଼ିଆ,

କି ପାଇଁ ମରିବ ଚିର ?

•••

 

ମା

 

ଆଜି ଏକକଣ୍ଠେ ମା ବୋଲି ଡାକ ହେ

ତେତ୍ରିଶ କୋଟି ମାଆର ସନ୍ତାନ,

ମା ନାମ ମହିମା ଶକ୍ତିରେ ଉଠ

ଦୁର୍ବଳ ଭୀତ କମ୍ପମାନ,

ମା ନାମ ଗରିମା ଗିରି ହିମାଚଳେ

ଶତ ଶତାବ୍ଦୀର ତୁଷାର ଉଜ୍ଜ୍ୱଳେ

ମାତୃସ୍ନେହଝରା

ଗଙ୍ଗାସିନ୍ଧୁଧାରା

ବ୍ରହ୍ମପୁତ୍ର ବହେ ପବିତ୍ର କଲ୍ଲାଳେ,

ଉଠେ ମହାଗୀତି ବ୍ୟୋମେ ଜଳେ ସ୍ଥଳେ ।

ମା ନାମର ସ୍ତୁତି ଅନ୍ତରେ ଉଚ୍‌ଛୁଳେ,

ବିନ୍ଧ୍ୟାଦ୍ରି ସହ୍ୟାଦ୍ରି ନୀଳଗିରି କୋଳେ

ରେବା ଗୋଦାବରୀ ଗାଆନ୍ତି ନିରୋଳେ ।

ଶିରୀ ବୃନ୍ଦାବନେ ଚନ୍ଦନ ବନେ ବଦ୍ରିନାରାୟଣେ

ମା ନାମର ମନ୍ତ୍ର

ବାଜେ ହୃଦ-ଯନ୍ତ୍ରମଧୁର ନିକ୍ୱଣେ ।

କିଏ ସେ ତୁମର, ଭେଦନାହିଁ ଯା’ର ହୃଦ ଅଭ୍ୟନ୍ତର

ମା ନାମର ଭକ୍ତି ?

କିଏ ସେ ଦୁହିତା,

ମା ନାମ ଶ୍ରବଣେ ନୁହେଁ ସେ ମୋହିତା ?

ଭାରତର କୁଳେ କିଏ କୁଳାଙ୍କାର,

ମା ନାମେ ନୟନେ ନାହିଁ ଯାର ଧାର ?

ମା ପରା ଆମର ତ୍ରିଲୋକ-ପାବିନୀ,

ଗାୟତ୍ରୀ, ସାବିତ୍ରୀ ବିଶ୍ୱ-ପ୍ରସବିନୀ,

ବେଦ ବେଦାନ୍ତରଜନନୀ, ମୋହିନୀ,

ନିଖଳଅବନୀ ଜ୍ଞାନପ୍ରଦାୟିନୀ,

କାବ୍ୟକଳା-ଶିଳ୍ପ ଲୀଳା ବିଳାସିନୀ,

କୋଟି କୁଞ୍ଜବନ-କୁସୁମମାଳିନୀ,

କୋଟି କଳ୍ପତରୁ-ବଲ୍ଲୀ-ରସାଳିନୀ,

ମନୋଜ୍ଞ-ମାନସ-ହେମ ମୃଣାଳିନୀ ।

ମା ପରା ଆମର ଜ୍ଞାନ ବିଜ୍ଞାନର

ଆଦ୍ୟ ଲୀଳାଭୂମି,

ପବିତ୍ର ଓଁକାର ଝଙ୍କାରି ଉଠିଲା ଯହିଁ ନଭ ଚୁମି ।

ବୁଡ଼ିଥିଲା ଯେବେ ବିରାଟ ଅବନୀ ଅଜ୍ଞାନତିମିରେ,

ଉଜ୍ଜ୍ୱଳ ଥିଲା କେ ବିଦ୍ୟାଧରମ ହେମ ଦୀଧିତିରେ ?

ଆଜି ହେରି ତାରହୀନ ଅଧୋଗତି,

ଛାତି କି ତୁମର ନୁହଇ କରତି ?

ନାହିଁ କିହେ ଉଷ୍ଣରକ୍ତ ଧମନୀରେ,

ବ୍ୟଥିତ ନୁହଁ କି ମାତୃ ଆରତିରେ ?

ଉଠ ଊଠ ତେବେ ଉଠ ମୋର ଭାଇ,

ଆର୍ଯ୍ୟତେଜଃ ତବ ରକ୍ତୁଁ ଯାଇନାହିଁ,

ମାତୃ ନାମ ମନ୍ତ୍ରେ

ଉଠ ହେ ଏକତ୍ରେ

ତ୍ରେତିଶ କୋଟି ମାତୃସ୍ତବ ଗାଇ ।

•••

 

ଭାରତମାତା

 

ଭାରତ ମୋ ମା, ଭାରତ ମୋ ମା,

ଜାଣିଛି ଏହା ମୁଁ ଅନ୍ତରେ,

ଭାରତଜନନୀ ଜନ୍ମଭୂମି ମମ,

ନମେ ତବ ପଦପ୍ରାନ୍ତରେ ।

ତୁହି ଲୋ ପବିତ୍ରେ ! ତୋ ପବିତ୍ର ରଜେ

ମୋ ପିତୃପୁରୁଷ ପିଣ୍ଡ ଗଢ଼ିଛୁ,

ତୁହି ଲୋ ପବିତ୍ରେ ! ତୋ ବିଚିତ୍ର କ୍ଷେତ୍ରେ

ଶତସ୍ନେହାଦରେ ସନ୍ତାନେ ପାଳିଛୁ ।

ତୁହିଁ ଲୋ ଭକ୍ତି

ତୁହି ଲୋ ଶକ୍ତି

ତୁହି ଲୋ ମୁକ୍ତିଦ୍ୱାର,

ଯାଏଁ ଯଥା ତଥା,

ତୋ ନାମସ୍ମରଣ ପୁଣ୍ୟ ମୋ ଜପହାର ।

ଆଜି ଦୀନା ତୁହି କାଙ୍ଗାଳିନୀ ବେଶେ

ଛିଡ଼ା ହୋଇ ଶୀର୍ଣ୍ଣ ମୋ ମାନସଦେଶେ,

‘କିଛି କରିନାହିଁ’ ଭାବନା କଷଣେ ମର୍ମ୍ମେ ମରୁଛି

ଦୁଃସହ କ୍ଳେଶେ,

ଘୋର ଲଜ୍ଜା ମୋର ଘୋର ମଳିନତା,

ଆମେ ଥାଉଁ ଥାଉଁ ମାତା ଅବନତା,

କୁଳାଙ୍ଗାର ସୁତେ କି ସୁଖେ ଜନନୀ,

ଧରିଛୁ ଦୁର୍ବଳ କୋଳେ,

ମୂରୁଛି ନ ପାରୁ ଆମକୁ ସତେ କି

ମାତୃସ୍ନେହ ମାୟା ଭୋଳେ !

ତେଣୁ କି ତୋହର କେଦାରେ କେଦାରେ

ସଜାଇ ରଖିଛୁ ସ୍ୱର୍ଣ୍ଣ ଶସ୍ୟଭାରେ,

ଅଯୋଗ୍ୟ ଆମେ ଲୋ, ଆମ ଅରଜନ

ପର ପାଦତଳେ ଲୋଟୁଛି,

ଆପଣା ବେଳକୁ ହାଣକୁରାଢ଼ିରେ

ଭାଇ ଭାଇଗଳା କାଟୁଛି ।

ତିଳେ ପ୍ରେମ ଆଉ ନାହିଁ ଆମ ଘରେ,

ଭାସୁଛୁଁ ଆପଣା ସୋଦର ରକ୍ତରେ,

ହିନ୍ଦୁ ମୁସଲ୍‌ମାନ, ଦୁଇ ବାହୁ ତୋ’ର

ଦୁହିଁଙ୍କି ଭିତରେ ଦ୍ୱନ୍ଦଯୁଦ୍ଧ ଘୋର,

ବାଟ ବିଦେଶୀଙ୍କୁ ବରଣ କରିଣ

ଜଗତରେ ଲୋକହସା,

ଆମରି କରମ ଆମକୁ ଘାରୁଚି

କେ ଫେଡ଼ିବ ଆମ ଦଶା ?

ପରକୁ ନିନ୍ଦିବୁଁ ଦୋଷିବୁଁ କିପାଇଁ?

ଆପଣା ଭାଇକି ସ୍ନେହ ତିଳେ ନାହିଁ;

ଆମ ମା, ଭଉଣୀ ଆମରି ଅନ୍ୟାୟ-

କାରାଗାରେ ବନ୍ଦୀ କାନ୍ଦୁଛନ୍ତି ହାୟ!

ଆମ ଶସ୍ତ୍ରପୋଥି ଆମ ରକ୍ତ ମଥି

ଜୀବନ ଆମର ସାରିଲାଣି ଘାରି,

ଆମ ଅବିଚାରେ ଅସ୍ପୃଶ୍ୟ ଭିତରେ

ଗଣା ଛଅ କୋଟି ନରନାରୀ !

ଭାଇ ଭାଇ ବୋଲି ଭଜେ ଦେଉଁ ଡାକ,

ବକ୍ତୃତା ମଞ୍ଚରେ ଦେଶପ୍ରେମଯାକ

କଥାରେ ଅଜାଡ଼ି, କାନ୍ଦି କରମରେ

ଫେରୁଁ ନିଜ ଘରେ ଶୂନ୍ୟ ହୃଦୟରେ ।

ନିଜ ଜାୟା ସୁତେ ଖାଦ୍ୟ ନ ପାଆନ୍ତି

ଦେଶ ଦେଶ ବୋଲି ଲୁହେ ଯାଉ ତିନ୍ତି,

ଅଳସ ଅକର୍ମା ଦିନ ଯାଏ ବିତି,

ଜପୁ କିନ୍ତୁ ମନ୍ତ୍ର ଓମ୍‌ ଶାନ୍ତି ଶାନ୍ତି !

ଏ ଘୋର କପଟ ତମୋଆବରଣ

କହ ମାତା କିଏ କରିବ ଛେତନ ?

ନିଜ ନୟନରେ ନିଜକୁ ଦେଖିବୁଁ,

ନିଜ କୁରୂପରେ ସରମେ ସରିବୁଁ ,

ତେବେ ସିନାମନେ ହେବ ଅନୁତାପ,

ତେବେ ସିନା ଦୂରେ ଯିବ ମୋହ ପାପ ।

ପବିତ୍ରା ମାତାର ଏ ଅଧମ ସୁତେ

କହ କହ କାହୁଁ ପାଇଲୁ ?

ଗୌରବ ବିଭବ ସବୁ ତ ତୋହରି

ଆମରି ହାତରେ ସାଇଲୁ ।

ତୋ’ ଚରଣ ପରା ଧୁଏ ମହାସିନ୍ଧୁ,

କିପାଁ ନ ଦେଲୁ ସେ ନୀର ଏକ ବିନ୍ଦୁ,

କେ ଧୋଇବ କହ ଏ କଳଙ୍କ-କାଳି ?

ବିନା ଆମେ ରକ୍ତ ନ ଦେଲେ ମା ଢାଳି,

କେବେ ଲଭି ଜ୍ଞାନ

ତୋହରି ସନ୍ତାନ

ଏକ ହେବେ ପ୍ରେମ ଭେଦାଭେଦ ହୁଡ଼ି,

ରକ୍ତଧାରେ ନୁହେଁ, ଭକ୍ତିଧାରେ ବୁଡ଼ି ।

ଆସିବ ନାହିଁ କି ମାଆ ସେ ସୁଦିନ,

ଈର୍ଷା ଦ୍ୱେଷ ବନ୍ଧ କରି ସର୍ବେ ଛିନ୍ନ,

ଏକ ହେବେ ପ୍ରାଣେ,

ଧର୍ମେ, କର୍ମେ, ଜ୍ଞାନେ,

ମାନବସନ୍ତାନେ ନ ମଣିବେ ହୀନ ।

•••

 

ହାହାକାର

 

ଆଜି ତେତ୍ରିଶ କୋଟିର ହାହାକାର !

ରୁଦ୍ରରୂପେ ପ୍ରଭୁ ଦୁଆର ସମୀପେ,

ଚୌପାଶେ ବିରାଟ ଅନ୍ଧକାର ।

ଭୀଷଣ ବନ୍ୟା ବ୍ୟୁତ୍‌ପାତ, ଦୁର୍ଭିକ୍ଷ ଦାଉ

ମହା ମଡ଼କର ସଂହାର ଲୀଳା

କାତର କଣ୍ଠେ ଡାକିଲେ ବିକଳେ

ଦୂର ବୈକୁଣ୍ଠେ ପ୍ରଭୁ ନ ଶୁଣନ୍ତି ଆଉ,

କେବଳ ମୃତ୍ୟୁ, ମୃତ୍ୟୁ ବିଭୀଷିକା

ଆବରିଛି ଚାରି ଧାର ।

ବିକଟ ନୃତ୍ୟେ ମରଣଦୂତେ

ଅତିଥି ଆମର ଅଗଣାରେ,

ଜଗତରେ ଆମେ ଅଗଣାରେ ।

ଶତ ଶତାବ୍ଦୀ ବ୍ୟାପିଥିଲୁଁ ପରା,

ଥାପି ଅନ୍ୟାୟର ସିଂହାସନ,

ଦୁର୍ବଳ ଦୀନ, ଅସ୍ପୃଶ୍ୟ ଇତର,

ନରନାରାୟଣ ଶିରେ,

କୋଟି କୋଟି ତେଣୁ ଆଜି ସିନା ଲୋତକ ରୁଧିରେ,

ବୁଡ଼ିଛୁଁ ସରବେ ନିଜର ଗରବେ,

ଅଭିମାନେ ଚୂର୍ଣ୍ଣ ଯୁଗଯୁଗାନ୍ତର ସାଧନାର ସ୍ୱର୍ଣ୍ଣ-

ଶୋଭାବନ ତପୋବନ ।

ଭାଇ ଭାଇ ବକ୍ଷ ଶୋଣିତ ପିପାସୀ,

କ୍ରୂର ଅବିଶ୍ୱାସୀ, ଉଦାସୀ,

ଆମର ସାର ଆଜି ଧୂଳି ପୂର୍ଣ୍ଣ-

ଜୀର୍ଣ୍ଣ ପଲ୍ଲୀ କଙ୍କାଳ କୁଟୀରମାଳା,

ତହିଁ ଘେନି ବିପୁଳ ଉଦରଜ୍ୱାଳା,

ନଗ୍ନ ତନୁର ଅପମାନ,

କାଟିବୁଁ ହତାଶ ଅର୍କ୍ଷିତ ଜୀବନ,

ବିଫଳିତ ନୀରବ ରୋଦନ-

ସମ୍ୱଳ କରି ହେବ ସଂସାର ଅବସାନ ।

ତେବେ ଯାଇଏ ପାପର ହେବ ପୂର୍ଣ୍ଣ ପ୍ରାୟଶ୍ଚିତ

ରକ୍ତ ମଥିତ,

ଆତ୍ମପ୍ରାଣ ବଳିଦାନ

ଚାହାନ୍ତି ଆମର ହସ୍ତୁଁ ଦୀନ ଦୁଃଖିତ ଭଗବାନ ।

(୨)

କିପାଇଁ ଭାରତବାସୀ ! ଡାକ କାତରେ,

କୃପାସିଂହାସନ ନ ଟଳିବ ଆଉ

ତୁମର ବ୍ୟର୍ଥ ଚିତ୍‌କାରେ ।

ନ ହେବା ଯାଏ ପୂର୍ଣ୍ଣ ପ୍ରାୟଶ୍ଚିତ

ତୁମେ ହେବ ନିତ୍ୟ ଦଳିତ ବ୍ୟଥିତ

ଏହା ତ କେବଳ ନୁହେ କପାଳ ଲେଖାରେ,

ଆପଣା ଅର୍ଜିତ କର୍ମଫଳେ କିପାଁ ଭଗବାନେ

ଦୋଷ ଦିଅ ରେ ।

କେ କହିଥିଲା ତୁମକୁ,

ଭାଇ ଭାଇ ମଧ୍ୟେ ବିରୋଧର ବନ୍ଧ

ବଜ୍ର ଦୃଢ଼େ ବାନ୍ଧିବାକୁ ?

ଆଉ ନତ ଦୁର୍ବଳେ କ୍ରୂର

ଚରଣେ ଚାପିବାକୁ ?

ଅର୍ଦ୍ଧାଙ୍ଗ ତୁମର ନାରୀଙ୍କୁ ଅନ୍ୟାୟେ

କବାଟର କୋଣେ ଗୁଞ୍ଜିବାକୁ ?

ଏବେ ପଛଘୁଞ୍ଚା ନ ଦିଅ ହେ ବାବୁ, କ୍ରୂର

କର୍ମଫଳ, ଭୁଞ୍ଜିବାକୁ ।

ଉଚିତ ନୁହେ ତୁମର ବ୍ୟର୍ଥ ହାହାକାର

ଅନ୍ୟାୟ ପ୍ରାର୍ଥନା,

ସହୁଛ କିପାଇଁ ବିକଳ ଚିତ୍ତରେ

ମୂଢ଼, ଜଡ଼, ଅନ୍ଧ, କକର୍ଥନା ?

ଯଦି ମୁକ୍ତି ଚାହଁ ଭୀଷଣ କଷଣୁ,

ଭାଳ ମନେ ଏହି କ୍ଷଣୁ,

ଆପଣା ଭିତର ଅଳିଆ ଜଞ୍ଜାଳ

ଝାଡ଼ି କରତବ ନିର୍ମଳ ତନୁ ।

ଜାତିଭେଦ ବନ୍ଧ ଛେଦ ପ୍ରେମାଦରେ,

ବ୍ରାହ୍ମଣ ଶୂଦ୍ରକୁ ଘେନୁ ଶ୍ରୀଅଙ୍କରେ,

ଯୁଗ ଯୁଗ ଯଚା ନାରୀ ଅଧିକାର

ଦିଅ ତାଙ୍କୁ ନ୍ୟାୟକରେ ।

ଆପଣାର ପାପ ଅମାପ ଭାଳିଣ

ନ ବୁଡ଼ ଆଉ ନୈରାଶ୍ୟରେ,

ରୁଦ୍ରରୂପ ତେଜି ବିଶ୍ୱ-ଭୂପ

ଦେଖା ଦେବେ ହାସ ଆସ୍ୟରେ ।

ଏତିକି ବିଶ୍ୱାସେ ଉଠଉଠ ଅନ୍ଧ,

ତେଜ ଦୂରେ ତମ କପଟତା ଛନ୍ଦ,

ନ୍ୟାୟମୟ ପାତା, ଜଗତ-ବିଧାତା

ବଇରୀ ନୁହନ୍ତି କାହାରି,

କ୍ଷୀଣେ ରକ୍ଷାକର, ଦୁଷ୍ଟେ ଦଣ୍ଡଧର,

ଦୁଷ୍କୃତ ଅନୃତ ସଂହାରୀ ।

ତାଙ୍କରି ଅମୃତ ଆନନ୍ଦ ଭଣ୍ଡାର

ଚିର ମୁକ୍ତ କୃପା କ୍ଷମା ପ୍ରେମଦ୍ୱାର,

ତୁମରି ପାଇଁ ତ ମାନବ ସନ୍ତାନ

ବୋଲାନ୍ତି ସେ ଭଗବାନ ।

(୩)

ଚିର ନ ରହିବ ଦୁଃଖ-ଅମା-ନିଶା,

ଅରୁଣ ନାଶିବ ଏ ଘନ ତମିସ୍ରା,

ଉଠ ଉଠ ଭାଇ ! ଦିନ ଯାଏ ବହି

ବୃଥା କଷ୍ଟ ସହି ।

ତୁମରି ହାତରେ ଅଛି ତବ ମୁକ୍ତି,

ତେଜ ତେଜ ତବ ଜଡ଼ତାର ସୁପ୍ତି,

ତୁମରି କରମେ ଲଭିବ ମରମେ

ଚିର ଆକାଂକ୍ଷିତ ତୃପ୍ତି !

ଚିରଦିନ କାର ନ ଯାଏ ସମାନ,

ନିୟତିର ଚକ୍ର ନିତ୍ୟ ଭ୍ରାମ୍ୟମାନ,

ଏବେ ତଳେ ତବ ଧୂଳିରେ ଶୟନ,

ଦୁଃଖ ଅପମାନ ହେବ ଅବସାନ,

(ଯଦି) ମୋହମୁଗ୍‌ଧ ତବ ମେଲିବ ନୟନ,

ଆଉ ନିର୍ଯ୍ୟାତନେ ନ ବଧିତ ତବ

ଦୁର୍ବଳ ଭାଇ ପ୍ରାଣ ।

ଉଠ ତେତ୍ରିଶ କୋଟି ଫିଙ୍ଗି ଦୂରେ

ଅବସାଦ ଆବରଣ,

ମରଣେ ଜୀବନ କର ହେ ବରଣ ।

ତୁମ ହୀନତାରେ ବିଶ୍ୱଜନନୀ ଅଶ୍ରୁଭାରେ ମ୍ରିୟମାଣ,

ଉଠ ଅରିନ୍ଦମ ବିଶ୍ୱଜୟୀ ବୀର !

ଉଠ ହେ ମାନବ ! ଉଚ୍ଚେ ତୋଳି ଶିର,

ଜୀବନ ଆହବେ, ବିଜୟ ଗୌରବେ

ଲଭ ମଙ୍ଗଳ ପରିତ୍ରାଣ ।

•••

 

ପୁରୁଣା ଓଡ଼ିଆ

 

(କ)

ଭଗ୍ନ କୁଟୀରେ ହେ କୃଷକ ଭାଇ

ଅର୍ଦ୍ଧମୃତ ତୋର ପରିବାର,

ନିତି କ୍ଳାନ୍ତି ନିତି ଖଟଣି ସାର ତୋ’

ନ ମିଳଇ ପୂର୍ଣ୍ଣ ଆହାର ।

ନଈବଢ଼ି ପାଣି ଧୋଇଦେଲା ତୋର,

ଯତ୍ନକର୍ଷିତ କେଦାର,

ନଗରନିବାସୀ ନ ବୁଝିଲେ କେହି,

ଲୁଟିନେଲେ ତୋର ଭଣ୍ଡାର ।

ଦିନ-ଖରା ରାତି-କାକର ସହି ତୁ

ବିଲେ କେତେ କାମ କରିଚୁ,

ମହାଜନ ଦାଉ ଟିକସ ଜ୍ୱାଳାରେ

ନିତି ନିତି ଆୟୁ ସାରିଚୁ ।

ଦୀର୍ଘ ହତାଶ ନିଶ୍ୱାସ ତୋର

ଆଉ ନ ମିଶିବ ମାଟିରେ,

ଦେଢ଼କୋଟି ଆଜି ଉଠିବେ ଓଡ଼ିଆ

ଜଡ଼ତାର ମୋହ କାଟି ରେ ।

(ଖ)

ହେଦୀନ ଶିଳ୍ପୀ ! କୁଟୀରେ ତୁମରି

ଅସ୍ତ୍ର ପଡ଼ିଛି ଅଳସେ,

ବିଦେଶୀ ବିଳାସ ବ୍ୟସନେ ସାରିଲୁଁ

ଧନ ଆମେ ବୃଥା ରଭସେ ।

ନ ସ୍ମରିଲୁଁ ତୋର ପୂରୁବ ଗୌରବ,

ନ ଚାହିଁଲୁ ଦୀନ ଦଶା,

ଆପଣା ଚରଣେ ହାଣିଲୁଁ କୁଠାର,

ଜଗତେ କି ଲୋକହସା !

ଭୟ ନାହିଁ ଭାଇ ଜାଗିଲାଣି ଏବେ

ପୁରୁଣା ଓଡ଼ିଆ ପ୍ରାଣ,

ଶିବ ଶିରୀ କ୍ଷେତ୍ର ମହତ ବିଭବ

ମନ୍ଦିର ରଚିବା ଟାଣ ।

ଚାହା ବଗିଚାର କୁଲିଗିରି ଆଉ

ନ ଡାକିବ ଆମ ସୁତେ,

ଆପଣା ଗୋଡ଼ରେ ଛିଡ଼ା ହେବେ ସେହି,

ଉଚ୍ଚ ହେବେ ନିଜ କୃତେ ।

ନିଜ ହାତେ ନିଜେ ହେବେ ସେ ମଣିଷ,

ନ ଚାହିଁବେ ପର ଦୁଆରେ,

ମୁକ୍ତି-ତରଣୀ ଭାସିବ ଏଥର

ରକ୍ତର ପାରାବାରେ !

(ଗ)

ହେ ବୀର ବନ୍ଦୀ ! କାରାଗାର କୋଣେ

କଳଙ୍କିତ ତବ ଅସି,

(ଏବେ) ଝଳେ ନବ ଜ୍ୟୋତିଃ ଅୟସ ଫଳକେ

ଲିଭି ଯାଇଅଛି ମସି ।

କିଏ ହସି ହସି ଦେବ ପ୍ରାଣ ଭାଇ,

ବିଶ୍ୱ ଡାକୁଛି କାହାକୁ ?

କିଏ କାନ୍ଦି କାନ୍ଦି ଗାଇବ ଗୀତଟି,

ଆଗୁଁସାର ସବୁ ଦେବାକୁ ?

କିଏ ବହିନେବ ଛିନ୍ନ ପତାକା,

ଉଠାଇବ ବୀର-କେତନ ?

ଆସ ଅଗ୍ରେ ଆସ ତରୁଣ ତପସ୍ୱୀ !

କୋଟି କଣ୍ଠ ଡାକେ ସଘନ ।

•••

 

ଅଳି

 

ଆଜି ମାଆ ତୋର ମଙ୍ଗଳ ନେତ୍ରେ

ନବୀନ ଆଲୋକ ଜଲା ଲୋ,

ଦେଢ଼କୋଟି ମୋର ଓଡ଼ିଆ ଭାଇଙ୍କୁ

ନବ କରମରେ ଜଗା ଲୋ ।

ଆପଣା ହାତରେ ଆପେ ଛେଦି ଶିର

ନିଜ ବିଷେ ନିଜେ ମରିବୁଁ,

ମାଆ ତୁ କିପରି ଦୂରେ ଛିଡ଼ା ହୋଇ

ପାଷାଣ ପରାଣେ ଚାହିଁବୁ ?

ସାର୍ଥକ ଆଜି ହେଉ ଲୋ ଜନନୀ !

ସନ୍ତାନ ଅଧିକାର,

ଦୂରେ ଯାଉ ନବ ଜୀବନ ଜ୍ୟୋତିରେ

ଯୁଗାନ୍ତର ଅନ୍ଧକାର ।

ଆଦର, ଆଦର, ଆଦର

ପିପାସୀ ଆସିବୁଁ ଭଉଣୀ ଭାଇ,

ମାଆ ତୋ ରିକ୍ତ ଅଞ୍ଚଳେ କହ

ସ୍ଥାନ କି ଆମର ନାହିଁ ?

ଆନନ୍ଦ, ଆନନ୍ଦ, ଆନନ୍ଦ-

ଲାଳସୀ ଆସିଛୁଁ ଭଉଣୀ ଭାଇ,

ମାଆ ତୋ‘ ଅମୀୟ ଅଙ୍କ-ଆସନେ

ସ୍ଥାନ କି ଆମର ନାହିଁ ?

•••

 

ସାନ୍ତ୍ୱନା

 

ଝରୁଛି ଅଶ୍ରୁ ଦୀର୍ଘଶ୍ୱାସେ

ବକ୍ଷ ବିଦୀର୍ଣ୍ଣ ତୁମରି,

ବରଷ ବରଷ ବିତିଲାଣି କ୍ଳେଶେ,

ପଡ଼ିଛି ମହୀକି ଆବୋରି ।

ଆଶାବାଣୀ କେହି କହିନାହିଁ କାନେ,

ଆଶାଗୀତ କେହି ଗାଇନାହିଁ ପ୍ରାଣେ,

ଚିର ଅବସାଦେ ଲୋଟି ଧୂଳିଶେଯେ

ଜୀବନ ଯିବ କି ବାହାରି ?

ନାହିଁ ନାହିଁ ଚାହଁ ନେତ୍ର ମେଲାଇ

ଆଜି କିଏ ତବ ଦୁଆରୀ ।

ଦେବତାର ଦୀପ କନକ-ଆଲୋକେ

ମଙ୍ଗଳ କରେ ଜଳଇ,

ତୁମ ଦୁଃଖ, ଦୈନ୍ୟ ବେଦନା ଆଘାତେ

ଛଳ ଛଳ ଆଖି ଝରଇ;

ନିଅ ବରି ତବ ବୀର ଅରିନ୍ଦମ,

ଥୁଅ ଥୁଅ ପାଦେ ଅରଘ ଚନ୍ଦନ,

ଦେଢ଼କୋଟି ନରନାରୀ ଉଠ ଆଜି

ପାହିଲାଣି କ୍ଳେଶ ଶର୍ବରୀ ।

•••

 

ସୁପ୍ରଭାତ

 

ଚାହାଁ ଚାହାଁ ଉଦେ ଚାରୁ ମିହିର,

ତେଜି ଜଡ଼ତା ଉଠ ହେ ଧୀର,

ଉଠ ହେ ଧୀର କରମବୀର ।

ନବ ପ୍ରଭାତ, ନବ ଅମୃତେ

ନବ ଜୀବନ ଦେବଟି ମୃତେ,

ତେଜ ଅନୃତେ

ଉତ୍କଳ ସୁତେ,

ଦୂର କର ଅନ୍ଧ-ନୟନ-ତିମିର ।

ପ୍ରଚାର କଲାଣି ଦିଗ ଦିଗନ୍ତ

ବିହଙ୍ଗ ଗୀତେ ନବ ଉଦନ୍ତ,

ଶତ ସୁବାସିତ ସୁମନ-ଗନ୍ଧେ

ମଧୁର ମଳୟ ସମୀର ।

ଉଠ ଆଜି ଦେଢ଼କୋଟି ନରନାରୀ,

ଦେବତ୍ୱ ମହତ୍ତ୍ୱ ନ ଦିଅ ହେ ସାରି,

ନିଖିଳ ବିଶ୍ୱେ ରହି ଚିର ନିଃସ୍ୱ

ନ ହୁଅ ଲାଜରେ ନତଶିର ।

•••

 

ଭାରତ-ରମଣୀ

 

ସଫଳ ଜନମ, ସଫଳ ଜୀବନ,

ମୁଁ ପରା ଭାରତ-ରମଣୀ,

ମୋ ତ୍ୟାଗ ପୁଣ୍ୟ ସହିଷ୍ଣୁତା ଗୁଣେ

ମୋହିବି ନିଖଳ ଧରଣୀ ।

ନାରୀତ୍ୱର ପୂଜା, ନାରୀତ୍ୱେ ଆଦର

ଲଭି ଶ୍ରେଷ୍ଠାସନ ଜାୟା ଜନନୀର,

ବିଧି ବିଧାନେ ମୁଁ ଶକତି, ସାବିତ୍ରୀ,

ମୁଁ ଶାରଦା, ଲକ୍ଷ୍ମୀରୂପିଣୀ ।

ପ୍ରବୃତ୍ତି ନୁହେ ମୋ’ ନିବୃତ୍ତି ପନ୍ଥା,

ସଂଯମ, ଶାନ୍ତି ଜୀବନେ ଗୁନ୍ଥା,

ବୈଧବ୍ୟ, ବସନେ, ଚିତାର ଦହନେ;

ମୂର୍ତ୍ତିମତୀ ଧର୍ମଧାରିଣୀ ।

ଆତ୍ମଶକ୍ତି ଲୀଳା ନର କଳେବରେ

ଉଠିବ ବିଶ୍ୱ କଟାକ୍ଷ ମାତରେ,

ମୁଁ ଆଦ୍ୟାଶକ୍ତି

ଭକତି ଆରତି ଅନ୍ତିମ ମୁକ୍ତି ସରଣୀ ।

•••

 

ମଣିଷ ଭାଇ

 

ଶୁଣ ହେ ମଣିଷ ଭାଇ !

ଝୁରି ମରିବାକୁ ବୁଡ଼ି ମରିବାକୁ

ମଣିଷ ଜନମିନାହିଁ ।

ଶତ ହତାଶ୍ୱାସେ ସାରିବ ସଂସାର

ନିରାଶେ ନିବିଡ଼ ଅନ୍ଧାରେ,

ଚିର ଶୃଙ୍ଖଳିତ, ଲାଞ୍ଛିତ, ବଞ୍ଚିତ,

ପୀଡ଼ିତ କଷଣ କାରାରେ,

ଏ ନୁହେ ମାନବ ନିୟତି,

ଧ୍ୱଂସର ଯାତ୍ରୀ ମୃତ୍ୟୁର ଧାତ୍ରୀ

ନୁହେ ଏ ବିଶାଳ ଜଗତୀ ।

ଶୁଣ ହେ ମଣିଷ ଭାଇ !

ଅମୃତ ଦୀପ୍ତି ସନ୍ତାନ ତୁମେ,

ମରଣ ତୁମର କାହିଁ ?

(୨)

ଶୁଣ ଶୁଣ ନରନାରୀ !

ବିଳାସର ଲୀଳାନିକେତନ ବିଶ୍ୱ

ନୁହଇ ସତତ କାହାରି ।

କ୍ରୂର ଅତ୍ୟାଚାରେ ଦଳିବ ଦୁର୍ବଳେ,

ରକ୍ତେ ପିପାସା ଶମିବ,

ନତଶିରେ ସୁଖେ ଶ୍ରୀପାଦ ଅରପି

ଆପଣାକୁ ଆପେ ବାଧିବ,

ଏ ନୁହେ ବିଧାତା ବିଚାର,

ଧ୍ୱଂସର ଯାତ୍ରୀ, ମୃତ୍ୟୁର ଧାତ୍ରୀ

ନୁହେ ଏ ସୁନ୍ଦର ସଂସାର ।

(୩)

ଶୁଣ ଶୁଣ ବିଶ୍ୱାବାସୀ !

କରମର ଶୁଭ ଭୁବନ ଏହିଟି

କରମରେ ଶ୍ରମ ନାଶି,

ଉଠ ଦେବ ତେଜେ ତେଜି ଲାଜ, ଭୟ,

ଅପମାନ, ଅହମିକା,

ପଶୁତ୍ୱ ଦେବତ୍ୱ ପରୀକ୍ଷାରେ ଜୟୀ

ଲଭ ବୀରତ୍ୱର ଟିକା,

ଋଣୀ କର ଭବରାଣେ,

ତାଙ୍କ ରଚା ଚରା-ଚର ତରାଣରେ

ବଳି ଦିଅ ନିଜ ପ୍ରାଣେ ।

 

(୪)

ଶୁଣ ଶୁଣ ଅରନ୍ଦମ !

ଷଡ଼ରିପୂଜିତ, ଦେବତାପୂଜିତ

ତାରାଦଳେ ତବାସନ ।

ଶତ କ୍ଷତଶିରେ ଶୋଣିତ ଶ୍ରାବରେ

ନୁହଁ କ୍ଳିଷ୍ଟ, ନୁହଁ କ୍ଷୀଣ

ଶତ କଳୁଷର କଳଙ୍କକାଳିରେ

ନୁହଁ ହୀନ, ନୁହଁ ଦୀନ,

ବିଧାତାର ବରପୁତ୍ର

ଯୁଗାନ୍ତ- ମୃତ୍ୟୁ-ରଜ୍ଜୁ ଛିଣ୍ଡାଇ

ଧର ହେ ଜୀବନସୂତ୍ର ।

•••

 

ଚାଲ

 

ଚଞ୍ଚଳେ, ଚାଲ, ଚଞ୍ଚଳେ ଚାଲ

କେତେ କହୁଅଛ ସଙ୍ଗାତ ?

ଅନ୍ଧାରେ ଝୁଣ୍ଟି କଣ୍ଟାଟି ଫୁଟି

ପରାସେ ପୀଡ଼ିତ ଗୋଡ଼ହାତ ।

ଚିର ନିଶି ତୁହି ପଡ଼ିଥିବୁ ତଳେ,

ଏ ନୁହେଁ ନିୟତି କଷାଘାତ,

କ୍ଷୁଦ୍ର ଦୀପଟି ତେଜି ଧର ଭାଇ,

ଦଣ୍ଡେ ଛାଡ଼ି ହେବ ସୁପ୍ରଭାତ ।

କିପାଁ ଘରକୋଣେ ଲୁଚି ବସ ଭାଇ

ଋଣ ତୂରୀ ଭେରା ବାଜଇ,

ବୀର କିରୀଟର ଆଶାରେ ଉତ୍‌ଫୁଲ୍ଲ

ହୁଅ ହୁଅ ଆଗେ ରଣଜୟୀ ।

କିପାଁ ଭୀତ ହେଉ ବୋଇତବାହୀ ତୁ

ଦେଖି ଭୀମ ଊର୍ମି ସାଗର,

ଅଦୂରେ ଅଛି ତୋ ଆଶା ବିଶ୍ରାମର

ସୁନ୍ଦର ପ୍ରିୟ ବନ୍ଦର ।

•••

 

ମାଗୁଣି

 

ମାଗୁଣି ମୋହର ଅନ୍ତ ହେଉ ଆଜି

ଶାନ୍ତ ଚରଣ ତଳରେ,

ଶାନ୍ତ ଅନ୍ତର ଶାନ୍ତି ଲଭୁ ମୋ

ନବୀନ କରମ ବଳରେ ।

କରମଭୁବନେ ଦେଇଛ ଜନମ

ସରମେ ନ ସରେଁ ଯେସନେ,

ହିସାବ ନିକାଶ ଶେଷ ଦିବସକୁ

ଊଣା ନ ପଡ଼ୁ ଏ ଜୀବନେ ।

ମରିବି ଯେ ଦିନେ ମରିଣ ବଞ୍ଚିବି

ଏତିକି କରୁଣା କର ହେ,

ରାଜ-ଅଇଶ୍ୱର୍ଯ୍ୟ ନ ଦିଅ ପଛକେ

କିଙ୍କରରୂପେ ବର ହେ ।

•••

 

ପ୍ରାର୍ଥନା

 

ସାରାରାଜି ଜଳୁ ଭାତି ଜୀବନର ଧ୍ରୁବତାରା,

ଢାଳ ଢାଳ ମୋ’ ନୟନେ ଆନନ୍ଦ-ଅମୃତଧାରା ।

ଘନ ତମସ ନିରାଶେ,

ବିଶ୍ୱାସ ମୋହର ନାଶେ,

ଫୁଟିଉଠ ଏ ପରାଣେ ପ୍ରେମାଲୋକେ ନେତ୍ରକାରା ।

ଚିତ୍ତ ମୁଁ ତୁମରି ଆଶୀ

ମୋ’ ଚିତ୍ତ-ଗଗନବାସୀ,

ହର ମୋ’ ଦୁର୍ବଳ ଦେହ କଳୁଷ ଜଞ୍ଜାଳ ଭାରା ।

ତବ ପରଶରତନେ

ଗଢ଼ ଏ ପିଣ୍ଡ ଯତନେ,

ଦୂର କର ମୋ’ ଦୂରିତ, ନିବାର ଶୋକାଶ୍ରୁଧାରା ।

•••

 

ଆଶ୍ଳେଷ

 

ଯଦି ବିଜେ ଆଜି ରାଜ ମହାରାଜ

ମୋହରି ଦୁଆରେ ପ୍ରଭୁ ହେ,

ଭାଙ୍ଗି ତବ ଉଚ୍ଚ ମାନ ସିଂହାସନ,

ଛିଣ୍ଡାଅ ଶୃଙ୍ଖଳ ସବୁ ହେ ।

ଧୂଳିରେ ଧୂସର ତନୁଟି ମୋର

ବସନଭୂଷଣହୀନ ଲାଜ ଘୋର,

ରକ୍ତ-ମଥିତ, ଅଶ୍ରୁ-ବ୍ୟଥିତ,

ଘେନ ନାମ ସ୍ୱାମୀ ଏ ଦେହଭାର ।

ପଙ୍ଗୁ ମୁହିଁ ଉଠି ନ ପାରେ,

ଅନ୍ଧ ମୁହିଁ ଚାହିଁ ନ ପାରେ,

ଜାଳ ଆଲୋକ, ଢାଳ ପୁଲକ,

ବୁଡ଼ାଅ ପ୍ରେମ-ପାରାବାରେ ।

ଭଗନ ହୃଦୟମନ୍ଦିରେ ଆଜି

ନଗନ ପ୍ରାଣ-ବେଦୀରେ,

ଶୋଣିତ ଚନ୍ଦନେ ଅଭିଷେକ ତବ

ନୀରବ ନିବିଡ଼ ରାତିରେ ।

ଘନ ଆଲିଙ୍ଗନ ମଝିରେ

ପାଇବି ମରମ କତିରେ,

ଭାତିବ ନୟନ ଜ୍ୟୋତିଃରେ

ଯୁଗ ଯୁଗାନ୍ତର ଅନ୍ଧାର ।

ଶତ କ୍ରନ୍ଦନ ରୋଳେ,

ଶତ ବନ୍ଧନ ଭୋଳେ,

ଚିତ୍ତ ସୁନ୍ଦର ମୋର ପାଇବି ଆନନ୍ଦେ

କମ୍ପିତ ବକ୍ଷସ୍ଥଳେ ।

•••

 

ମୋ’ କରଣି

 

ଏ ଚିର କଷଣୁ ତରାଣ ହେ ନାଥ

ନୁହେ ସେ ଚରଣ ମାଗୁଣି,

କଷଣ ଦୂଷଣେ କରଣିଟି ମୋର

ନେବି ଏ ଜୀବନେ ବରଣି ।

ଏ ଭବ ଅର୍ଣ୍ଣବ ପାରି ପାଇବାର

ଜାଣେ ଶ୍ରୀପଦଟି ତରଣୀ,

ନିଜ ମୁକ୍ତି ଲାଗି ନ ଆଶ୍ରିବି ତହିଁ

ବୁଡ଼େ ଯେବେ ଆନ ପରାଣୀ ।

କରମ ମୋହର ହେଉଛି ଧରମ,

ଶରମେ ନ ସେବେ ଧରଣୀ,

ରାଜ-ଅଇଶ୍ୱର୍ଯ୍ୟେ ନ ଭ୍ରମୁ ମରମ,

ନ ଲୋଡ଼ୁ ସଂପଦ ସରଣୀ ।

•••

 

ନିର୍ମାଖୀ

 

ଅଶ୍ରୁରେ ଆଜି ଧୋଇଅଛି ମୋର

ମରମର ଅହଂକାର,

ପ୍ରାର୍ଥନା ମୋର ପୟରେ ନିବାର

ନିରାଶାର ହାହାକାର ।

ଦୁଃଖରେ ଆଜି ତେଜିଅଛି ମୋର

ଗର୍ବର ମେଘାସନ,

ଆଘାତରେ ଆଜି ଚୂର୍ଣ୍ଣ ମୋହର

କିରୀଟର ଆଭରଣ ।

ଭଗ୍ନ ବୀଣାର ତାର,

ଭୁଲିଅଛି ପ୍ରିୟ ଲଳିତ ରାଗିଣୀ,

ଛନ୍ଦର ଅଳଂକାର ।

ଏତିକି ମାଗୁଣି ଚରଣେ,

ପରାଜୟ ଦୁଃଖ ନିନ୍ଦି ମୋ’ କରମ

(ଯେହ୍ନେ) ନ ମରିବି ଚିତ୍ତ ମରଣେ ।

•••

 

ଶ୍ରୀଛାମୁ

 

ସେ ଦିନ ଅନ୍ଧାରେ ତୀବ୍ର ତୃଷାରେ

କମ୍ପୁଥିବି ଶୀତ ନିଶୀଥେ,

ଜଳୁ ଜଳୁ ତବ କ୍ଷୁଦ୍ର ପ୍ରଦୀପ

ଗୁପ୍ତ ଏ ଚିତ୍ତେ ସ୍ତିମିତେ ।

ଯେ ଦିନ ରୁଦ୍ର ରୌଦ୍ର ଦହନେ

ବୁଲୁଥିବି ତୃଷା ଘର୍ମରେ,

କ୍ଷୁଦ୍ର ତୁମର କୃପାଝରଣାର

କଳଗୀତି ବାଜୁ ମର୍ମରେ ।

ଯେ ଦିନ ନୀରବ ରୋଗଶେଯେ ପଡ଼ି,

ନୟନ କାନ୍ଦିବ ରୁଧିରେ,

ଅଲକ୍ଷିତ ହାତେ ଛୁଇଁଯାଅ ମୋତେ

ସ୍ନେହୀ ସଖା ସମ ସୁଧୀରେ ।

ଯେ ଦିନ ଭିକାରୀ ପରାଏ ବୁଲିବି

ହକାରି ଦୁଆରେ ଦୁଆରେ,

ତୁମରି ଭଣ୍ଡାର ମେଲା ଥାଉ ପ୍ରଭୁ

ଦୀନ ଦୁଃଖିତର ଆଗରେ ।

ଯେ ଦିନ ଭୀଷଣ ରଣପ୍ରାଙ୍ଗଣରେ

ଏକା ହୋଇଥିବି ଛିଡ଼ା ମୁଁ,

ଶତ କରେ ଶସ୍ତ୍ର ଧରି ବାହାରିବ

ଶତ ବୀରବେଶେ ଶ୍ରୀ ଛାମୁ ।

ଯେ ଦିନକଠିନ କାରା ନିଗଡ଼ରେ

ଦୃଢ଼େ ହୋଇଥିବି ବନ୍ଧନ,

ନକ୍ରନାଶନ ଚକ୍ର ତୁମରି

କରୁ ତାହା କ୍ଷଣେ ଛେଦନ ।

•••

 

ନରନାରାୟଣ

 

ତୁମେ ଏଇ ପଥେ ଯିବ ବୋଲି

ସାରାରାତି ଧରା ଥିଲା ଉଜାଗର

ରଖିଲା କବାଟ ଖୋଲି,

ବଉଦ ଚାନ୍ଦର ମୋହନ ଲୀଳା,

ଆକାଶେ ଅମୀୟ ଆଲୋକ ମେଳା,

ଚାରୁ ଚନ୍ଦ୍ରତପ ଥାପି, ଅନନ୍ତ ଦିଗନ୍ତବ୍ୟାପୀ

କୋଟି ତାରାଦୀପେ ମଙ୍ଗଳ ଆଳତି ଜାଳି ।

ହୃଦ ଉଲସାଇ ବାସ ବିକଶାଇ

ଫୁଟାଇ କୁସୁମମାଳି ।

ନିଖିଳ ଜାଗିଲା ତୁମରି ପାଇଁ,

ମହାମହିଙ୍କୁ ଥିଲା ଅନାଇଁ,

ବହିଲା ସୁବାସ ମୟଳ ମନ୍ଦେ,

ଗାଇଲେ ବିହଙ୍ଗ ଲଳିତ ଛନ୍ଦେ,

ତବ ସ୍ତବ ସ୍ତୁତି ବନ୍ଦନା,

ନବ ଧାନ, ଦୂବ, ଚନ୍ଦନ ଘେନି

ସଜାଡ଼ିଲା ଅର୍ଘ୍ୟଥାଳୀ ।

ତୁମେ ଗଲ କେଉଁ ପଥେ

କେହି ନ ଜାଣିଲା ସତେ,

ଦରିଦ୍ର ଇତର ବେଶେ ଦ୍ୱାରେ ଦ୍ୱାରେ,

ପଡ଼ିଲା ଶ୍ରୀପାଦ ଧୂଳି,

ଶତ ଛିନ୍ନ ତବ ଭିକ୍ଷାର ଥଳୀ

ପୁରାଇଲ ବୁଲି ବୁଲି,

କେହି ନ ଚିହ୍ନଲେ ନରନାରାୟଣ-

ଛଦ୍ମେ ପ୍ରେମ ଦେଲ ଢାଳି ।

•••

 

ବିଷାଦିତର ବିଶ୍ୱାସ

 

(୧)

ଚର ମାଘ ନ ଥିବଟି ଏ ପୋଡ଼ ଜୀବନେ,

ଆସିବ ଫଗୁଣ ନିଶା ଦକ୍ଷିଣା ପବନେ ।

କାନ୍ଦେ ଆଜି ସିନା କ୍ଷୁବ୍‌ଧ କୋକିଳର ବଧୂ,

ଆସିବ ଅମୃତକାନ୍ତି ଫୁଲପନ୍ତି ମଧୁ ।

ଚମ୍ପାଚୂତ ଆଜି ସିନା ଝୁରି ମରେ ପିକେ

ପାଇବ ପାଇବ କୋଳେ ବସନ୍ତ ରସିକେ ।

ପଞ୍ଚମ ବୀଣା ତାନେ

ଫାଲ୍‌ଗୁନୀ ନିଶା-ଯାମେ

ଝରିବ ସ୍ୱରଗସୁଧା ସଞ୍ଜୀବନୀ ଧାର,

ପିନ୍ଧିବ ଗୋ ତରୁକୁଳ ଫୁଲ ଅଳଙ୍କାର ।

ଆଉ ନ ଲୁଚିବ ଲାଜେ କେତକୀ କାମିନୀ,

ଚାନ୍ଦିନୀ ଚୁମ୍ୱନେ ଯେବେ ଚୁମ୍ୱିବ ଯାମିନୀ ।

ନବୀନ ବକୁଳମାଳ ବାସ ଚହଟାଇ

ବହିବ ମଳୟ ମନ୍ଦ ହୃଦ ଉଲ୍ଲସାଇ ।

 

(୨)

କିପାଁ ଅଭିମାନେ କାନ୍ଦ ଗୋଲାପ ମଲ୍ଲିକା,

ଫୁଟିବ ଫୁଟିବ ବାସ କୁସୁମକଳିକା;

ଶୋଭିବ ଚିକ୍‌କଣ ଚାରୁ କୋମଳ ପଲ୍ଲବେ,

ଶୀତଶୀର୍ଣ୍ଣ ପତ୍ରହୀନ ଝୁରୁଛ ନୀରବେ ।

ନବୀନ ବାସନ୍ତୀ କାନ୍ତି

ନାଶିବ କଷଣ ଶାନ୍ତି,

ହରିବ ଦୂଷଣ, ଶିରୀ ଫୁଟିବ ଆନନେ,

ହସିବ ବସନ୍ତ ଯେବେ ଗଗନେ ଗଗନେ ।

ବାଜିବ ବିନୋଦ ବୀଣା ଫୁଲ କୁଞ୍ଜେ କୁଞ୍ଜେ,

ରସିବେ ବିହଙ୍ଗ ନବ ଗୀତ ମଞ୍ଜୁ ପୁଞ୍ଜେ ।

(୩)

ଚିର ମାଘ ନ ଥିବ ଏ ପୋଡ଼ା କପାଳରେ

ଜାଳି ମୋ’ କମଳବନ ଶିଶିର ମାଳରେ ।

ହାସ ବାସ ରସ ହୀନ ଦୀନ ଅରବିନ୍ଦ

ଉତ୍ସଙ୍ଗେ ଝୁରଇ ମଧୁତୃଷିତ ମିଳିନ୍ଦ ।

ଉଦାସେ ଆକାଶେ ଚାହିଁ କାନ୍ଦେ କୁବଳୟ,

ହେରି କ୍ଷୀଣ ପ୍ରଭାକରେ ଅଥୟ ହୃଦୟ ।

ହେବ କ୍ଳେଶ ଅବସାନ,

ଘୁଞ୍ଚିବ ତା’ ଅପମାନ,

ମଧୁର ମାଧବୀ ପ୍ରାତେ କନକ-କିରଣେ

ନିଖିଳ କୁସୁମରାଣୀ ଅରୁଣ ଚରଣେ

ପ୍ରେମେ ଢଳ ଢଳହିଆ ହେବ ପ୍ରଫୁଲ୍ଲିତ,

ଶୋଭିବ ସରସୀ ଜଳ ମୃଦୁ ହିଲ୍ଲୋଳିତ ।

(୪)

ଚିର ନ ମରିବ କ୍ରୂର ତୁଷାର ତରାସେ,

ଗନ୍ଧ ବିକଶିବ ମନ୍ଦେ ବକୂଳ ଉଲ୍ଲାସେ ।

ଶତ ସୁରଭି ସୁମନ ସାଜେ ଶୋଭାମୟୀ

ମଳୟ ଉଲ୍ଲାସେ ରସି ହସିବ ତ ମହୀ,

ଚିର ମାଘ ନ ଥିବ ତା ପୋଡ଼ା ଅଦୃଷ୍ଟରେ,

ଚିର ନ ଦଳିବ ବଳୀ ଦର୍ପିତ ପାଦରେ,

ଏ ନୁହେ ନିୟତି,

କେହି ଚିର କୁଟୀ କୋଣେ, କେହି କୋଟିପତି ।

(୫)

ଚିର ମାଘ ନ ଥିବ କା ପୋଡ଼ା କପାଳରେ,

ଚିର ନିଶା ନ ଭାସିବ ନୟନଜଳରେ,

ଦୀର୍ଘ ଦାରୁଣ ଶାସ୍ତି,

କ୍ରୂର କଷଣ କ୍ଳାନ୍ତି,

ଚିର ବା କଙ୍କାଳ ପେଷି ନ କରିବ କ୍ଷୀଣ,

ଅକାଳେ ଜୀବନତନ୍ତ୍ରୀ ଦ ହେବଟି ଛିନ୍ନ ।

ନ ହଜିବ ମନୁଷ୍ୟତ୍ୱ ତେଜଃ ବୀର୍ଯ୍ୟରାଶି,

ହସିବ ବସନ୍ତ ଦିନେ ଜୀବନେ ବିକାଶି ।

(୬)

ଚିର ମାଘ ନଥିବ କା ପୋଡ଼ା କରମରେ

ଚିର ନ ସରିବ କେହି ଲାଜ ସରମରେ;

ହରୁଥିବେ ଅତ୍ୟାଚାରୀ ଦୁର୍ବଳ ସମ୍ପଦ

ବଞ୍ଚିତ ଲାଞ୍ଛିତ ବକ୍ଷେ ସ୍ଥାପିବେ ଶ୍ରୀପଦ ।

ଦୁଃଖୀ ଦୁଃଖ ଦେଖିନିତି କାନ୍ଦୁଥିବ ବିଶ୍ୱ

ନୋହିବ କଙ୍ଗାଳି ନୀତି ନିପୀଡ଼ିତ ନିଃସ୍ୱ

ଏ ନୁହେଁ ବିହି ବିଚାର,

ଚିତ୍ତ ନ ରହିବ କା’ର ଗର୍ବ ଅହଂକାର ।

(୭)

ଚିର ମାଘ ନ ଥିବା କା’ ପୋଡ଼ା ଅଦୃଷ୍ଟରେ,

ଚିର ନ ଦହିବ କେହି ନିରାଶା କ୍ଳେଶରେ;

ଜନମ ଜନମ କା’ର ନ ଯିବ ବିଫଳି,

ହତାଶ୍ୱାସେ ଭାଳି ଭାଗ୍ୟ ସଙ୍ଗେ କରି କଳି ।

ଧରଣୀ ଧୂଳିରେ

ଈଶ ସୃଷ୍ଟି ସାର ନର ଯିବ କି ମିଶିରେ,

ଏହି ତା’ର ଶେଷ ?

ନୁହେଁ, ନୁହେଁ, ଅଛି ଭାଇ ଜୀବନ ଅଶେଷ ।

(୮)

ବ୍ୟର୍ଥ ଏ ମାନବ ଦେହ ନ ଧରିଲା ଭବେ

ମାନବର ଆଶା ଯଦି ନ ପୂରିବ ଲବେ,

ଜନମ ଜନମ ବୁଲି ଲଭିବ କି ଫଳ

ଅନ୍ଧ କର୍ମସୂତ୍ର ମାତ୍ର ଯଦି ତା ସମ୍ୱଳ ?

ଦେବତ୍ୱ, ମହତ୍ତ୍ୱ,

ନାହିଁ ଯଦି ଜୀବନେ, କେ ଚାହେଁ ମାନବତ୍ୱ ?

ବିଧାତାର ଛଳ

ନୁହେ ଏ ଜଗତ ବୃଥା ମାୟାର କୌଶଳ ।

ବୃଥା ଇନ୍ଦ୍ରଜାଲ ଝଳି ଦେଖି କେ ଭୁଲିବ,

ଶତ ଶୋକ, କଷ୍ଟ, କାନ୍ତି କହ ହେ ସହିବ ?

ଜରା ମୃତ୍ୟୁ ଦୈନ୍ୟରାଶି କେ ବହିବ ଶିରେ,

ମାନବର ଆଶା ଯଦି ନ ପୂରେ ମହୀରେ ?

(୯)

ଚିର ମାଘ ନ ଥିବ ପୋଡ଼ା ପରାଣରେ

ଚିର ନ ଯିବ କା’ ଦିନ ପର ଶରଣରେ,

ଶୀର୍ଣ୍ଣ ନ ଶୋଇବ ଜୀର୍ଣ୍ଣ ଦୀନ ନିକେତନେ,

ଅଶନ ବସନ ଚିନ୍ତା ମାରିବ ଜୀବନେ ।

ନିଜ ବିଲଦାଢ଼େ ବସି ବୋଲାଇ ଭିକାରୀ

ନିଜ ଅରଜିତ ବିତ୍ତେ ନୁହେ ଅଧିକାରୀ,

ମୁଣ୍ଡଝାଳ ତୁଣ୍ଡେ ପଡ଼ି ସେ କରମ-ହୀନ,

ଛିଣ୍ଡା କନ୍ଥା ସମ୍ୱଳ ତା’ ଚିତ୍ତ ଚିନ୍ତା-କ୍ଷୀଣ;

ଏ ନୁହେଁ ଶାଶ୍ୱତ,

ନବ ଭୁଜବଳେ ଉଠିବ ସେ ପଦାନତ ।

ସେ କ୍ଷୁଦ୍ର ପାଷାଣ

ରଚିବ ହିମାନୀ ଶିଖ ମହାଗିରିମାନ ।

କ୍ଷୁଦ୍ର ଦୀପାଧାର,

ପ୍ରଚଣ୍ଡ ମାର୍ତ୍ତଣ୍ଡ ତେଜେ ଜାଳିବ ସଂସାର ।

(୧୦)

ଚିର ମାଘ ନଥିବ କା’ ପୋଡ଼ା କପାଳରେ,

କିପାଁ ମୁଁ ଭାସିବି ତେବେ ନୟନଜଳରେ ?

ଜାଣେ ଏ ଜୀବନ ନୁହେଁ ମାୟାର ଛଳନା,

ନିଷ୍ଠୁର ନିୟତି ଚକ୍ର ପେଷଣ ଯନ୍ତ୍ରଣା;

ଅକାଳେ ମରିବା ପାଇଁ

ଜଗତେ ଜନମିନାହିଁ

ଅନନ୍ତ ଜୀବନ, ପ୍ରାଣେ

ଅନନ୍ତ ପ୍ରେରଣା,

ନୁହେଁ ମୁଁ ମାନବ ମାତ୍ର

ମାଟିର ଖେଳନା ।

ଜାଣେ ଏ ଜୀବନ ନୁହେଁ

ଜଳର ବୁଦ୍‌ବୁଦ୍‌,

ନିତି ନବ କର୍ତ୍ତବ୍ୟରେ

ହେବି ମୁଁ ଉଦ୍‌ବୁଦ୍ଧ ।

କରମଭୂମି ଏ ପ୍ରେମ

ଲୀଳା ନିକେତନ,

ନୁହେଁ ନୁହେଁ ମିଛମେଳା

ଭବ ଆୟୋଜନ ।

•••

 

ଅଭୟପଦ

 

ଏଥର ପ୍ରଭୁ, ଏଥର, ଭୟ ଦିଅ ଭାଙ୍ଗି ମୋହର ।

ଏଥର ପ୍ରଭୁ, ଏଥର !

ତୁମର ବିଶାଳ ବିଶ୍ୱ ଭୁବନେ

ସାନ ହେଲେ ମୁହିଁ ତଥାପି ତ ଜଣେ,

(ତେବେ) କିପାଇଁ କମ୍ପିତ, ଭୀତ, ବିଷାଦିତ,

ଅବସାଦିତ ଏ ଅନ୍ତର ?

ନିତି ନୟନରେ ହେରେ ଅନ୍ଧକାର,

ଜଗତ ବ୍ୟଥିତ, ଉଠେ ହାହାକାର,

ରୁଦ୍ର ରୂପଧାରୀ ହେ ବିଶ୍ୱ ସଂହାରି!

ଲୀଳାମୟ ଲୀଳା ସମ୍ୱର ।

ଉପରେ ଦିଶେଯା ନିଷ୍ଠୁର ମରଣ,

ସେ ତ ଜୀବନର ସ୍ନେହ ଆବରଣ,

ଦେଖାଅ ତା ମୋରେ, ଶିଖାଅ ତା ମୋରେ,

ଯାଉ ଏ ଜଞ୍ଜାଳ ଜ୍ୱାଳାରାଶି ଦୂରେ,

ସତ୍ୟରୂପେ ପ୍ରତିଭାତ ହୁଅ ନେତ୍ରେ

ମୋ ମାନସସରେ ହେ ଚିର ପବିତ୍ର

ଫୁଟ ଶତଦଳ, ସୁନ୍ଦର !

ହେ କ୍ରୂର ! ତୁମରି କରୁଣା-କିରଣ-

ପରଶେ ପ୍ରଫୁଲ୍ଲ ବିବିଧ ବରଣ

ମମ ମର୍ମ-ପ୍ରୀତି-ବୃତ୍ତି-ନିଚୟ

ଶୋଭୁ ସୁବାସିତ ପୁଷ୍ପ ନିକର ।

•••

 

ନାରୀ ଶକ୍ତି

 

ଷୋଳ କୋଟି ପ୍ରାଣେ ଆସିଛି ଆହ୍ୱାନ

ଦୂର ମହାକାଶୁଁ ଆଜି,

ଷୋଳ କୋଟି ନାରୀ ଉଠିବେ ଭାରତେ

କରୁଣା କଲ୍ୟାଣେ ସାଜି ।

କେତେଦିନ ଆଉ କହ କେତେଦିନ

ପୂଣ୍ୟ ଆର୍ଯ୍ୟଭୂମି ହୋଇଥିବ ହୀନ ?

ହେର, ଅବସାନ ଆଜି ଦୀର୍ଘ ରାତି,

ଫୁଟେ ପ୍ରାଚୀମୂଳେ ନବାରୁଣ ଭାତି,

ଶତ ଶତ ପୂତ ପଦ୍ମିନୀ ପୟର

ନୂପୁର ଉଠଇ ବାଜି;

ଉଠିବେ ଭାରତ ଶକତି ସଂହତି,

ଜାଗିବେ ଭାରତେ ଇନ୍ଦିରା ଭାରତୀ,

ଚାହଁ ଚାହଁ ନେତ୍ର ମେଲାଇ ରେ ଜଡ଼

ମୂଢ଼ ମୋହନିଦ୍ରା ଭାଜି ।

ଭାରତର ନାରୀ ଭାରତ ସମ୍ପଦ,

ପୂଜ ଦେବୀ ଜ୍ଞାନେ ପଦ-କୋକନଦ,

ଭଗିନୀ, ଜନନୀ, ଜାୟା, ସୁତା ମୁଖ

ଉଜ୍ଜ୍ୱଳୁ ଅମର୍ତ୍ତ୍ୟ ଆନନ୍ଦ ମୟୁଖ,

ସେ କିରଣେ, ତବ ଅନ୍ତର ଅନ୍ଧାର

ଘୁଞ୍ଚିବ ଜଞ୍ଜାଳ ଜ୍ୱାଳା ପାପଭାର,

ସଞ୍ଚରିବ ଭୁଜଦଣ୍ଡେ ଚଣ୍ଡ-ଶକ୍ତି

ପ୍ରଫୁଲ୍ଲ ମାନସ ତାମରସ ଗନ୍ଧେ

ସ୍ଫୁରିବ ଅମୃତ ଭକ୍ତି ।

ବସୁନ୍ଧରା ତଳେ ଭାରତରମଣୀ

ନୁହେ ହୀନ ନୁହେ ଦୀନ,

ଅମର କୀରତି କୋଟି ଯୁଗେ କେଭେଁ

ଜଗତୁଁ ନୋହିବ ଲୀନ,

ଯେତେଦୀନ ବହୁଥିବ ଗଙ୍ଗାଧାର,

ହିମଗିରିଶିର ଶୋଭିବ ତୁଷାର,

ଆର୍ଯ୍ୟରମଣୀର କୀରତି କାହାଣୀ

ମୃଦୁଳ ମଳୟ କରିବ ପ୍ରଚାର ।

ପୂତ ରାଜସ୍ଥାନେ, ରାଜୱାଡ଼ା ବନେ,

କଳିଙ୍ଗେ, କର୍ଣ୍ଣାଟେ, ବଦ୍ରି, ବୃନ୍ଦାବନେ,

ମିଥିଳା, ବିଦର୍ଭ, ବଙ୍ଗେ, ବିନ୍ଧ୍ୟାଚଳେ,

ଆର୍ଯ୍ୟ ମହିଳାର ମହିମା ଉଜ୍ଜ୍ୱଳେ।

ଆଜି ସୁଦ୍ଧା ସତୀ, ସାବିତ୍ରୀ, ପଦ୍ମିନୀ,

ସଂଯୁକ୍ତା, ସୁଭଦ୍ରା, ଜାନକୀ, ରୁକ୍ମିଣୀ,

ଜୀବିତ ଭାରତ ଜୀର୍ଣ୍ଣ କଙ୍କାଳରେ,

ଆର୍ଯ୍ୟମାତା ମରିନାହିଁଟି ପ୍ରାଣରେ,

ଗୋପନେ ଗୋପନେ କ୍ଷୀଣ ଶିରା ମଧ୍ୟ

ବହେ ତାର ପ୍ରାଣଧାର,

ମେନକା ପାଷାଣୀ ସୂତା ଶକତିରେ

ଘୁଞ୍ଚିବ ତା’ ହାହାକାର ।

ଲାଜେ ନତ ଆଉ ନୋହିବ ତା ମଥା,

ହରିବ ଦୁହିତା, ଜନନୀର ବ୍ୟଥା,

ଷୋଳ କୋଟି ନାରୀ ଉଠିବେ ଆନନ୍ଦେ

‘ବନ୍ଦେ-ମାତରଂ’ ଗାଇ,

ଭାରତ ଉଦ୍ଧାର ମହାମନ୍ତ୍ର ଦୀକ୍ଷା

ନେବେ ସେ ଭଉଣୀ ଭାଇ;

ଭୁଲିନାହିଁ କେବେ ଭାରତ ସନ୍ତାନ

ନାରୀ ଚିର ତାର ଦେବତା ପ୍ରଧାନ,

ବାଣୀ, ବୀଣାପାଣି, ଅନ୍ନଦା, ଈଶାନୀ,

ରମା, ନାରାୟଣୀ, ତ୍ରିତାପ ତାରିଣୀ,

ଧର୍ମେ କର୍ମେ ସଦା ସେ ସହାଚାରିଣୀ ।

ବୃଥା ଭବତଳେ ନ କର ପ୍ରଚାର

ଭାରତରେ ଭରା ନାରୀ ଅତ୍ୟାଚାର,

ବିଦେଶୀ ସରବେ ଗରବେ ବଖାଣି

ନ ଗାଆନ୍ତୁ ନାରୀ ଦୁର୍ଦ୍ଦଶା କାହାଣୀ,

ଉଠ ନବ ତେଜେ ଉଠ ଆର୍ଯ୍ୟସୁତ

ଅପମାନେ ଅନ୍ଧ ଅବଜ୍ଞାରେ ମୃତ,

ଉଭାହେଉ ଆଜି ଦିବ୍ୟ ଦୀପ୍ତିମୟୀ

ସ୍ୱାହା ଅନଳର ପାଶେ,

ଚକ୍ରଧାରୀ ବାମେ ଶକ୍ତିମୟୀ ଶଚୀ

ବିରାଜୁ ଗରବୋଲ୍ଲାସେ;

ହେଉ ଅବତୀର୍ଣ୍ଣା ଉମା ଘରେ ଘରେ

ତ୍ରିଶୂଳଧାରିଣୀଳ, ବିଶାଳ ଖର୍ପରେ

ପୋଛି ନେଉ ପାପ, ଦୈନ୍ୟ ସନ୍ତାପ,

ଉଠୁ ଭାରତ ତା ପ୍ରାଚୀନ ଦର୍ପରେ ।

ମହା ମହିମାର ମହା ତପୋବନ

ରଚିବେ ରମଣୀ ନୈମିଷ କାନନ

ଭାରତର ବକ୍ଷେ ଧରା ଅଳଙ୍କାର,

ଦୂରେ ଯାଇ ଆଜି ଅମୃତ ଆନନ୍ଦେ,

ନୈରାଶ୍ୟ ବିଷାଦ ଆର୍ତ୍ତ ହାହାକାର ;

ବରଷ ବରଷ ମହା ଛଳନାରେ

ମୃଣ୍ମୟୀ ପ୍ରତିମା ଷୋଡ଼ଶୋପଚାରେ

ଆଉ ନ ପୂଜିବେ ଋଷିର ସନ୍ତାନେ,

ଜୀବନ୍ତ ଜନନୀ ଚରଣକମଳ

ଲଭିବ ଭକତି-ଆରତି ବିମଳ,

ଆଉ ନ ମରିବେ ମାତୃ ଅପମାନେ,

ଘରେ ଘରେ ହେବ ମାତାର ପ୍ରତିଷ୍ଠା,

ବଢ଼ିବ ଶକତି ସାଧନାର ନିଷ୍ଠା,

ଭାରତ-ସଦନୁଁ ମିଥ୍ୟାଚାରରାଶି

ଯିବ ଦୂରେ, ବହୁ ଦୂରେ,

ପୂତ ମାତୃତୀର୍ଥ ରଚିବେ ରମଣୀ

ଭାରତର ଅନ୍ତଃପୁରେ ।

ବୀର ସୁତା ହେବେ ବୀର-ପ୍ରସବିନୀ,

ଶତ ଅରୁନ୍ଧତୀ, ବଶିଷ୍ଠ ଶୋଭନୀ,

ଯଶୋଦା କୁନ୍ତୀର ଯଶୋଗୀତେ ପୁଣି

ନିନାଦିବ ଆର୍ଯ୍ୟ କ୍ଷିତି,

ଶତ ଦେବସୁତ ଆଦରେ ଶ୍ରୀଅଙ୍କେ

ଘେନିବେ ପୁଣି ଅଦିତି;

କୌଶଲ୍ୟା ସୁମିତ୍ରା ଶଚୀ ମାତା ଯା’ର

ସେ ତନୟ ସିନା ଦେଶ ଅହଂକାର,

ଫେରି ତ ଆସିବେ ଶିବାଜୀ, ପ୍ରତାପ,

ନ କର ନ କର ବୃଥାରେ ବିଳାପ,

ଉଠିଥିଲୁ ଦିନେ, ପଡ଼ିଅଛୁ ତଳେ,

ନ ହୁଅ ନିରାଶ ଭାଇ,

ଉଠିବୁ ଏଥର କେଶରୀବିକ୍ରମେ

ମାତାର ଉତ୍ସାହ ପାଇ ।

ମାଆ ସେ ଆମର ଧ୍ୟାନ, ଆରାଧନା,

ମାଆ ତ ଆମର ସର୍ବାର୍ଥ ସାଧନା

ମାତନାମ ମନ୍ତ୍ର ଜପି ହୃଦତନ୍ତ୍ରେ

ଉଠିବୁ ଭାରତ ତରୁଣ ତରୁଣୀ,

ଉଠିବୁଁ ଏଥର ତେତ୍ରିଶ କୋଟି,

ଆଉ ନତ ଶିରେ ନଥିବୁଁ ମଉନୀ ।

ଗଲାଣି ଆମର ଦିନ ଜଡ଼ତାର,

ଅପସରିଯାଏ ଦୂରେ ଅନ୍ଧକାର,

(ଏବେ) ଭାରତର ବକ୍ଷେ ଏକ ମହାଲକ୍ଷ୍ୟେ

ବନ୍ଧା ନରନାରୀ ପ୍ରାଣ,

ମିଶି ଭ୍ରାତା ଭଗ୍ନୀ ଘୁଞ୍ଚାଇବୁଁ ପ୍ରାଣ-

ପଣେ ମାତୃ ଅପମାନ ।

ଉଦ୍ଧାରିବେ ପୁଣି ଭରତର ଭୂମି

ଦୁର୍ଗା-ଦଶ-ପ୍ରହରଣେ,

ମନ୍ଦିରେ ମନ୍ଦିରେ ପୂଜିବେ ଯୁଗଳ

ମୂର୍ତ୍ତି ଲକ୍ଷ୍ମୀନାରାୟଣେ,

ଈଶ୍ୱର ପାର୍ବତୀ ମିଶି ବେନି ଅଙ୍ଗେ

ଶୋଭିବେ ଜାହ୍ନବୀ ବ୍ରହ୍ମପୁତ୍ର ସଙ୍ଗେ,

ଆଉ ଥରେ ଆର୍ଯ୍ୟଧାରା,

ହୋଇବ ଅଖିଳ-ଅବନୀ-ବନ୍ଦିତା

ନନ୍ଦନର ଫୁଲଝରା ।

•••

 

ସାହସ

 

ଦୁଃଖ ଯେଦିନ ଘୋଟିଆସେ ମୋର

ରୁଦ୍ର ତିମିର ବେଶେ,

ସେଦିନ ଯେସନେ ଭୟେ ନ ମରିବି

ତୀବ୍ର ନିରାଶା କ୍ଳେଶେ ।

ଅଶ ଯେଦିନ ବୃଷ୍ଟି ପରାଏ

ନେତ୍ରେ ବହାଏ ଧାର,

ସେଦିନ ଯେସ ନେ ଭୁବନେ ଭୁବନେ

ନ ଜାଗିବ ହାହାକାର ।

ମୃତ୍ୟୁ ଯେଦିନ କରାଳ ଲୋଚନେ

ତରାଟି ଚାହିଁବ ମୋତେ,

ନିଜର ମହତ୍ତ୍ୱେ ବରିବି ତାହାକୁ,

ନ ମରିବି ଅଣାୟତ୍ତେ ।

ଦୂର କର ମୋର ନିବିଡ଼ ନିରାଶ-

ବନ୍ଧନ ଗୋଟି ଗୋଟି,

କ୍ରନ୍ଦନ ମୋର ନ ଉଛୁଳୁ ପ୍ରାସେ

କଣ୍ଟକ କୋଟି କୋଟି ।

•••

 

ସୌଭାଗ୍ୟ

 

ଘନ ଗହନ ତିମିର ନିଶା

ଏକାକୀ ପଥିକ ଚାରଇ ଡରି,

କେ କାନେ ତାହାର କହିଗଲା କଥା

ପାହିବ ତୋ ଦୁଃଖ ବିଭାବରୀ-

ଉଠ ହେ ପାନ୍ଥ ତରୁଣ ତରୁଣୀ !

ପୂରୁବ ଗଗନ ଉଠେ ଅରୁଣି,

ନବ ଆଲୋକେ, ନବ ପୁଲକେ

ନିଖିଳ ଅବନୀ ହସିବ,

ଫୁଟିବ ପ୍ରସୂନ ବନେ ଉପବନେ

ନବଗାନେ ପିକ ରସିବ ।

ଶତ ଅତ୍ୟାଚାର ଅନାଚାର ରାଶି-

ବନ୍ଧନ ତବ ଖସିବ,

ନବ ମଙ୍ଗଳେ ନିଖିଳ ଧାରା

ନବ ପ୍ରେମାନନ୍ଦ ଭାସିବ

•••

 

ଆତ୍ମବଳ

 

ଚିର ଆର୍ତ୍ତନାଦ ବେଦନା ବିନାଶି

କଣ୍ଠେ ଦିଅ ମୋର ଗୀତ,

ଶୁଣୁ ଚରାଚର ମୋ ବଂଶୀ ଝଙ୍କାର,

କରୁ ତା ନିଖିଳ ନନ୍ଦିତ ।

ମାୟାଜାଲ ବୁଣା ଶେଷ ହେଉ ମୋର,

ଗୁନ୍ଥିବସେଁ ଫୁଲମାଳି,

ଚିର ଅଶ୍ରୁରାଶି ଶୁଷ୍କ ହେଉ ମୋ’

ହର୍ଷଧାରା ଦିଏଁ ଢାଳି ।

ଦୀର୍ଘ ଅଳସ ଦିବସ ଯାମିନୀ

ପୂରିଉଠୁ କର୍ମ କୋଳାହଳେ,

ଶକ୍ତି ପ୍ରାର୍ଥନା ଲଭୁ ପ୍ରତିଷ୍ଠା

ନିର୍ଭର ପୂର୍ଣ୍ଣ ଆତ୍ମବଳେ ।

•••

 

ମିଳନ

 

କର ଦୂର କର ଦୂର ସରମର ଆବରଣ,

ଅଙ୍ଗେ ଅଙ୍ଗେ ମୋର କର ଆଲିଙ୍ଗନ

ହିଆରେ ଥୁଅ ଶ୍ରୀଚରଣ ।

ଗୋଟା ତନୁ ମୋର ଚିର ତୃଷାତୁର,

ସହିବ କେତେ ସେ ବସନର ଭାର,

ନିତି ଲାଜେ ଲାଜେ କେତେ ମରୁଥିବି,

ପାଇବାର ଆଶା ନ ପାଇ ଝୁରିବି,

ଲୋକଲୋକାନ୍ତରେ କେତେ ଭ୍ରମୁଥିବି,

ସହିବି ଜନମ ମରଣ ।

କିପାଁ ଏ ସାଧନା, କିପାଁଏ ବେଦନା,

କହିବି କହିବି ନ ଫିଟେ ରସନା,

କେତେ ଦୂରେ ଦୂରେ ରହିଥିବି ଆଉ,

ସହିବି ବିଚ୍ଛେଦ କଷଣର ଦାଉ,

(ଏବେ) ନଦୀ ସିନ୍ଧୁ ସମ ମିଶ ମୋ’ ମାନସେ,

ନର ହେଉ ନାରାୟଣ ।

•••

 

ନିସ୍ୱାର୍ଥ

 

ନିଜ ସ୍ୱାର୍ଥ ଚିନ୍ତି ଜଗତ ଯେଦିନ

ଦେବ ମୋତେ ଶତ ପୀଡ଼ା,

ଦୁର୍ବହ ଭାରେ ଭାଙ୍ଗି ନପଡ଼ିବି

ଦୃଢ଼ ପଦେ ହେବି ଛିଡ଼ା ।

ଆନଲାଗି ଯେବେ ସରିବ ମୋହର

କଷ୍ଟସଞ୍ଚିତ ବିତ୍ତ,

ଆପଣାର ଇଷ୍ଟ ମଣି ତା ଗୁପତେ

ହେବ ଆନନ୍ଦିତ ଚିତ୍ତ ।

ଆନର ଆସନେ ବସାଇ ଯେବେ

ଭାଗ୍ୟଦେବତା ସୁଖେ

ନିଜ ବଡ଼ପଣେ ରହିବି ନିଉନେ

ଆନ ପଦେ ନତ ମୁଖେ,

ନିଜ ଲାଜ ଯେବେ ଗ୍ରାସିବ ମରମ

ଆନେ ନ ମଣିବି ତୁଚ୍ଛ,

ଆନର ପତନେ ନ ହସିବି କେଭେଁ

ନିଜକୁ ଭାବଣ ଉଚ୍ଚ ।

•••

 

ଅମୃତ ସନ୍ତାନ

 

ବିନାଶ ମୋହର ନୁହଇ ତୁମର

ପ୍ରେମମୟ ଅଭିପ୍ରାୟ,

ରହିଛି କୌଶଳେ କଳେବର ମମ

ଗୁରୁ କାରୁକଳା ପ୍ରାୟ ।

ନୟନେ ମୋହର ଶତ ସୂର୍ଯ୍ୟପ୍ରଭା,

ଅଙ୍ଗେ ଅଙ୍ଗେ ରମ୍ୟ ନନ୍ଦନର ଶୋଭା,

ବାହୁରେ ଅସୀମ ଅଜେୟ ଶକତି,

ହୃଦୟେ ବିଶାଳ ଭକତି,

ଶତ ଶୋକ ଜରା ଘେରିଛି ମରଣ,

ତଥାପି ନୁହେଁ ମୋ କ୍ଳାନ୍ତ ଚରଣ,

ଜନମେ ଜନମେ ନବ ନବ ବେଶେ

ଧରେ ନବ ନବ କାୟ ।

ଚିତ୍ତ ବିକାଶ ମୋ ଜନ୍ମ ଅଧିକାର,

ଚିର ମୁକ୍ତ ମମ ଉନ୍ନତି-ଦୁଆର,

ଅମୃତ ସନ୍ତାନ ତୁମରି ମୁଁ ତାତ,

ନିର୍ମଳ, ପୂତ, ଅବଦାତ,

ପାତକ-କଳଙ୍କ      ନରକ-ନିଗଡ଼େ

କେତେଦିନ ବନ୍ଧା ଥିବି ହେ ନିବିଡ଼େ ?

ଧୂଳିରେ ଧୂସର କାତରେ କିପାଇଁ

କରୁଥିବି ହାୟ ହାୟ !

•••

 

ଅପୂର୍ଣ୍ଣତା

 

ପୂଜିବି କେସନେ ତୁମକୁ ହେ ପ୍ରଭୁ !

ନିତି ମୋର ଥିଲା ଭାବନା,

ତମରି ପଦାର୍ଥ ତୁମକୁ ଅରପି

କରିବି କିସ ମୁଁ ପ୍ରାର୍ଥନା ?

ନିଜର ବୋଲି ମୁଁ କହିବି କାହାକୁ,

ଦେବି ମୁଁ କମଳ-ପୟରେ,

ନିଜ ଅପୂର୍ଣ୍ଣତା ଲଜ୍ଜା ମ୍ଳାନିମା

ଅଶ୍ରୁ ଆଣିଛି ଭୟରେ ।

ଦୀନତା ହୀନତା ସଙ୍ଖାଳି ମୋର

ସେତିକି ଦେବି ମୁଁ ଢାଳି,

କଳୁଷ-କଳଙ୍କ ଛଳ ଅହମିକା

ଜୀବନର ଯେତେ କାଳି ।

ତୁମରି ପୁଣ୍ୟ ପାଦରେ

ବନ୍ଦୀ ମୁଁ ଅପରାଧରେ,

ଘୃଣ୍ୟ ନଗ୍ନ ଭଗ୍ନ ମୋହର

ବିକଳ କଙ୍କାଳ ବିଦରେ ।

ଆଶା ବଡ଼ ମନେ ମୋର,

ତୁଟିବ ଜଞ୍ଜାଳ ଘୋର,

ସୂର୍ଯ୍ୟ ଉଦୟେ ଉଆଁସ ନିଶାର

ରହିବକି ଅନ୍ଧକାର ?

ତାର ଅବା ମୋତେ ମାର,

ଏତିକି ମୋ ଅହଙ୍କାର,

ତବ ବଡ଼ପଣେ ଉଣା ଯା ମୋ’ ଠାରେ

ପୂର୍ଣ୍ଣ ହେବ ସାରାତ୍‌ସାର ।

•••

 

ମଣିଷପଣିଆ

 

ନିଦାରୁଣ ଯଦି ହେଲୁ ବିଧି ମୋରେ

ତୃଣ ସମ କର ନିଜ ଆଖିରେ,

ଉଣା ହେଉ ମୋର ଅହଂକାରପଣ,

ଗଣାହୁଏଁ ମୁହଁ ନିରିମାଖିରେ

ତଥାପି କଣ୍ଠେ ମୋ ଦିଅ ଗୀତ ଗୋଟି,

ଗାଇ ଗାଇ ଦିନ ହରିବି ହରି,

ତପତ ରୁଧିର-ତରପଣେ ପ୍ରାଣ

ଚରଣ-କମଳେ ସାରିବି ମରି ।

ଝୁଣ୍ଟି ଝୁଣ୍ଟି ତବ କଣ୍ଟାବଣ ବାଟେ

ଯେତେ ଚାଲୁଥିବି ଖରାରେ ତାତି,

ତେତିକି ଆନନ୍ଦ ବଢ଼ୁଥିବ ମୋର,

ଫାଟୁଥିବ ପଛେ ତୃଷାରେ ଛାତି ।

ରଖିଥିବି ଯେହ୍ନେ ମଣିଷପଣିଆ

ଏତିକି ମାଗୁଣି ନିତି ମୋହରି,

ଅନ୍ତେ ପଦପ୍ରାନ୍ତେ ଦେ’ଣା ପାଉଣା ମୋ

ବୁଝିନେବି ନ୍ୟାୟପଣ ସୁମରି ।

•••

 

ପାଦଚିହ୍ନ

 

କେ ତୁହି ବାଟୋଇ ଚାଲୁ ଚାଲୁ ଛିଡ଼ା

ଶ୍ରାନ୍ତେ କାତରେ ପ୍ରାନ୍ତରେ,

ନିବିଡ଼ ଦୁରାଶା ମାୟା-ମରୀଚିକା

ଭୁଲାଇ ବଥାଏ ଅନ୍ତରେ ।

ହେବ ହେବ ଶେଷ ଦୀର୍ଘ ଦାରୁଣ

ଅରଣ୍ୟର ସୀମା, ଚାଲରେ ତରୁଣ,

ପାଷାଣ କଷଣେ ଝୁଣ୍ଟିବା ପଡ଼ିଲୁ,

ଚିନ୍ତା କହ କାହିଁପାଇଁ ?

ନିତି ତାତି ତଳେ ପଡ଼ିଥିବୁ ତୋର

ନିୟତିରେ ଲେଖା ନାହିଁ ।

ଉଠ ଅପ୍ରତିମ ଶକତି ଅସୀମ,

ନୋହୁ ତୁହି ହୀନ, କରମରେ ହୀନ,

ଶତ ଅପମାନ ଲାଜ ବୋଝ ବହି

ନ ହୁଅ ନ ହୁଅ କ୍ଷୀଣ,

ଚାଲ ସାହସରେ ଆଗୁଆର ହୋଇ

ପଡ଼ୁ ପଥେ ପଦଚିହ୍ନ,

ଦୁର୍ଭାବନାଶ୍ରୁ ଚିରଦିନ ପାଇଁ

ଆଖିକୋଣେ ହେଉ ଲୀନ ।

•••

 

ଅଭିଶପ୍ତର ଅଭିମାନ

(୧)

ଜାଣେଁ ଏଁ ଜୀବନ କେଭେଁ ନ ହେବ ବିଫଳ,

ଅକାରଣ ନୁହେଁ ମୋର ଉଷ୍ଣ ଅଶ୍ରୁଜଳ;

ନିବିଡ଼ ନିଷ୍ଠୁର ଘନ ଗହନ ଅନ୍ଧାରେ

ନ ମରିବି ଚିରଦିନ ତୀବ୍ର ହାହାକାରେ ।

ଅମୀୟ ଅରୁଣ ଭାତି,

ବିନାଶିବ ଚିର ରାତି,

ଅମୃତ ଆନନ୍ଦେ ମୁହିଁ ଅନନ୍ତ ଜୀବନେ

ଜାଗିବି ଜାଗିବି, ଦୀପ୍ତ ଆଶା ମୋର ମନେ ।

(୨)

ଦୁର୍ବଳ କୋମଳ ମୁହିଁ ମଳିନ ଅଧମ,

କୋଟି କର୍ତ୍ତବ୍ୟ ପାଳନ ସତତ ଅକ୍ଷମ,

ଶତ ଶତ ଭୁଲ ଭ୍ରାନ୍ତି,

ଦାରୁଣ ଦୁଷଣ ଶ୍ରାନ୍ତି,

ଘେରିଛି ଜୀବନ ମୋର ସହସ୍ର ଜଞ୍ଜାଳ,

ତଥାପି ନୁହେଁ ମୁଁ ସଖା ମୃତ୍ତିକା କଙ୍କାଳ,

ଅମୃତ ସନ୍ତାନ ମୁହିଁ ସୁଧା ଅଧିକାରୀ,

ଅନନ୍ତ ତିମିର ତଳେ ଦୀପ୍ତ ଦୀପଧାରୀ ।

(୩)

ଲାଞ୍ଛନାର ଗଞ୍ଜନା ଶତ ଭର୍ତ୍ସନା ଜୀବନେ,

ପଦେ ପଦେ ଅପମାନ ପୀଡ଼ଇ ମରମେ,

ତୀକ୍ଷ୍‌ଣ ଶେଳ ଶିଳା ଅବା କଠିନ କୁଳିଶ-

ପ୍ରହାରେ ଜର୍ଜର ହିଆ, ଜୀବନ ମୋ ବିଷ;

ତଥାପି ଅମର ମୁହିଁ ମାନବ ସନ୍ତାନ,

ବ୍ୟର୍ଥେ ଏ ପୃଥିବୀ ମୋତେ ନ କଲା ଆହ୍ୱାନ ।

ତିଳେ ତିଳେ ଏ ଜୀବନ

କରିବିଟି ନିବେଦନ,

ସାରା ସୃଷ୍ଟି ସାର ମୁହିଁ ପ୍ରଚ୍ଛନ୍ନ ଦେବତା,

କରମକରତା ମୁହିଁ ମୋ ଭାଗ୍ୟନିୟନ୍ତା ।

(୪)

କରୁଛ କି ପରିହାସ ଦେଖି ଦୀନ ବେଶ,

ଅର୍ଦ୍ଧ ଅନଶନେ କ୍ଷୁଦ୍ର କୁଟୀରେ ମୋ କ୍ଳେଶ ?

ତପତ ତପନ ତଳେ ଚିନ୍ତି ସ୍ୱେଦଜଳେ

ରୁକ୍ଷ ବକ୍ଷଧାରା ମୁହିଁ ଚଷଇ ଲଙ୍ଗଳେ;

ଅବା ଭିକ୍ଷାପାତ୍ର ଧରି

ସରମେ ମରମେ ସରି

 

 

ତବ ରମ୍ୟ ହର୍ମ୍ୟ ତୋରା ତୋରଣ ସମ୍ମୁଖେ

କ୍ଳାନ୍ତ ପଦକ୍ଷେପେ ଆସେ, ନ ଚାହୁଁଛ ମୁଖେ ।

(୫)

ଲାଜେ ପୋତି ମଥା ଦୂରେ ଯାଅ ମୋର ଭାଇ,

ନ ଚିହ୍ନ ନ ଚିହ୍ନ ମୋତେ ନ ହେବି ବଥାଇ ।

ତିଳେ ତିଳେ ପ୍ରାଣ ମୋର କରିବ ଅର୍ପଣ

ତବ ଶତ ସୁଖ ଯହିଁ ହେବଟି ବର୍ଦ୍ଧନ ।

ବଞ୍ଚିବାର ଅଧିକାର ରଖ ଚିରଦିନ,

ମରଣେ ସମ୍ୱଳ କରି ହେଉଥାଏଁ କ୍ଷୀଣ ।

ତଥାପି ମରବି ନାହିଁ,

ମନେରଖ ଏହା ଭାଇ

ଅକାରଣେ ଜନ୍ମ ମୋର ନ ହେଲା ଭୂତଳେ,

ଅନନ୍ତ ବିନାଶ ଘେନି ମରିବି ବିରଳେ ।

ଅନନ୍ତ ବିକାଶ ମମ

ଚିରଦିନ ଅନୁପମ,

କଷଣ- କର୍ଦ୍ଦମେ ପଦ୍ମ ମୁହିଁ ଶତଦଳ,

ନ ହେବ ବିଫଳ ମୋର ତପ୍ତ ନେତ୍ରଜଳ ।

 

 

 

(୬)

ପାଷାଣେ ପିହିତ ଭାଗ୍ୟ ବିଚାରିଛ ସଖା,

ପାଷାଣ ପ୍ରାଣରେ ତେଣୁ ନ ପଶଇ ଦକା ।

ଉଚ୍ଚାସନେ ସ୍ୱଚ୍ଛମନେ ଆରାମ ଶୟନେ

ହରୁଛ ଦିବସନିଶି, କାନ୍ଦେ ମୁଁ ଅୟନେ ।

ମୋ ରକ୍ତ ତପତ ଧାରେ,

ମୋର କ୍ରୂର ହାହାକାରେ

ବୁଡ଼ି ରହିଅଛି ତବ ଜୀବନସଂପଦ,

ନ ମିଳେ ମୁକତି ମୋତେ ଧ୍ୟାୟିଣ ଶ୍ରୀପଦ ।

ତୁମେ ବୀର ତୁମେ ଗୁଣୀ,

ମୁଁ ହୀନ ଅଜ୍ଞାନ ଋଣୀ,

ତୁମରି ସଭ୍ୟତା ପାଶେ ତୁମରି ଆଲୋକେ,

ତୁମ ବିନା ବାସ ମୋର ଅନନ୍ତ ନରକେ ।

ନ ଭାବ ନ ଭାବ ଭାଇ,

କେହି କେବେ ଶୁଝି ନାହିଁ

ନିଷ୍ଠୁର ପୀଡ଼ନ ଦାଉ ଦେ’ଣା ଗୋଟି ଗୋଟି,

ଥାଅ ସୁଖେ, ଭୋଗେ ମୁହିଁ କଷ୍ଟ କୋଟି କୋଟି ।

 

 

 

(୭)

ଦୀର୍ଘ ଦୁର୍ଗମ ଯଦ୍ୟପି ଏ ଘନ ବିପିନ,

କଣ୍ଟକ ପରାସେ ତ୍ରାସେ କାନ୍ଦି ତନୁ କ୍ଷୀଣ,

ସରିବ ସରିବ ମୋର ଅଜ୍ଞାତ ନିବାସ,

ନିଜ ତେଜେ ଦିନେ ମୁହିଁ ହେବି ସ୍ୱପ୍ରକାଶ ।

ଯେ ‘କରେ’ ସୁଖରେ ହର ଦ୍ରୌପଦୀ ବସନ,

ସେକର ଭଞ୍ଜନେ ଲଜ୍ଜା ହେବ ନିବାରଣ ।

ରଞ୍ଜାଇବି କେଶରାଶି

ରକତେ ଆନନ୍ଦେ ଭାସି,

ଭୀମ ଭୁଜେ ବନ୍ଧାଇବି, ଦର୍ପୀ ଦୁଃଶାସନ

ବୃକୋଦର ପଦାଘାତେ ତେଜିବ ଜୀବନ ।

(୮)

ଲଙ୍କା ନିଗଡ଼େ ବନ୍ଦିନୀ ଜନକନନ୍ଦିନୀ,

ଦଶଆନନ ଦଳନେ କାନ୍ଦଇ ମେଦିନୀ-

କର୍ଷିତ କେଦାର ସୀତା ସରମ-ଆକୁଳା,

ଉଠୁଛି ଗୋପନ ଚିତ୍ତେ ଚିତାର କୁହୁଳା,

ଜଳିବ ସେ ଦାଉ ଦାଉ,

ଭସମିବ ଚାହୁଁ ଚାହୁଁ

କନକ-କମଳ-କାନ୍ତି ଲଙ୍କା ଭବଶଙ୍କା,

ଅହଙ୍କାର ଅରି ଶିର ପାଦେ ହେବ ବଙ୍କା ।

ଧୈର୍ଯ୍ୟ ସହିଷ୍ଣୁତା ସତ୍ୟ ଶ୍ରୀରାମ-ଜାନକୀ-

ଲକ୍ଷ୍ମଣ ବିଜୟ ବାନା ଉଡ଼ିବ ଝଟକି !

ଯୁଗ ଯୁଗାନ୍ତର ଯଶ ଗାଇବ ଗଗନ-

ଗଗନ ସାଗରଶୋଭୀ ବିଶାଳ ଭୁବନ ।

(୯)

ଭାବିଛ ବିଫଳେ ଯିବ ତାରାର ତପସ୍ୟା,

କାନ୍ଦିବ କରୁଣେ ଗୌରୀ ଗିରିଜା ବିବଶା;

ଶିବ ପତି ନ ଲଭି ସେ, ଅସତୀ ବୋଲାଇ

ସତୀରୂପେ ବୃଥା ପିତୃଗୃହେ ମରି ନାହିଁ ।

ମହାଯତିଯୋଗ ଭଙ୍ଗ

କରିବ ଦେବ ଅନଙ୍ଗ,

ନେତ୍ରାନଳେ କଳେବର ଯଦି ବା ଦହିବ,

ପରଉପକାରେ ନିତି ମରି ସେ ବଞ୍ଚିବ ।

(୧୦)

ଅକାରଣେ ପାଷାଣ କି ଅହଲ୍ୟା ସୁନ୍ଦରୀ,

ଅରପିବେ ଶିରେ ପରା ଶ୍ରୀପାଦ ଶ୍ରୀହରି ।

କିପାଁ କଳଙ୍କିନୀ ରାଧା ହେବ ଗୋପକୁଳେ,

ମୋହନ ମୁରଲୀ ତାନେ କଦମ୍ୱର ମୁଳେ ।

ଛାଡ଼ି ପ୍ରିୟ ପରିଜନ

ଧାଇଁ ଉନ୍ମାଦିନୀ ସମ

ଅନନ୍ତ ଅଶ୍ରୁସାଗରେ ବୁଡ଼ିବ କି ଚିର,

ନ ଉଦିବ ଚିଦାକାଶେ ବ୍ରଜର ମିହିର ?

ନିପଟ କପଟ ଶ୍ୟାମ

ବାତୁଳେ ରାଧାର ନାମ

ବଜାଇ ଝୁରିବେ ପରା ଦିବସ ଯାମିନୀ,

ଯମୁନାର ନୀର ଯେବେ ଚୁମ୍ବିବ ଚାନ୍ଦିନୀ ।

(୧୧)

ମିଛେ କି କୋକିଳ କେବେ ଢାଳେ କଳଗିର

ନ ବହିଲେ ମୃଦୁ ମଧୁ ମଳୟ ସମୀର ?

ମିଛେ କି କୁମୁଦ ଆଖି,

ଇନ୍ଦୁ ପାଦେ ରହେ ଲାଖି,

ଶତ ବିମ୍ୱେ ସରାମ୍ୱୁ ସେ ନ କରେ ଚୁମ୍ୱନ,

ଶୀତଳ ଶିଶିର ଛଳେ ସ୍ନେହ ଆଲିଙ୍ଗନ ?

ନୀରବ ରଜନୀ ଧୀରେ ଗଭୀର ସୁସ୍ୱରେ

ଝିଲ୍ଲୀରବେ ଆଶାଗୀତ ଗାଏ ଶ୍ରବଣରେ ।

ଅନନ୍ତ ଅବ୍ୟକ୍ତ ଶାନ୍ତି ପୁରେ ତ ପରାଣେ,

ମିଛେ କି ଜୀବନରହେ ଆନର ଧିଆନେ ?

(୧୨)

ଅକାରଣେ କ୍ରୌଞ୍ଚପକ୍ଷୀ ନ ତେଜିବ ଜୀବ,

ରାମାୟଣ ପଣା ପରା ପୃଥିବୀ ପିଇବ;

କବି କୁଳଗୁରୁ ହେବେ ତୋର ରତ୍ନାକର;

ବୋଲାଇବେ ବାଲାମୀକି ମହର୍ଷିପ୍ରବର;

ଅକାରଣେ ବନବାସେ ନ ଯିବ ଜାନକୀ,

ସତୀତ୍ୱ ଗୌରବ ପରା ଉଠିବ ମହକି !

ପାଇ ପୁତ୍ର ଅଧିକାର

ରଘୁନାଥ ନେତ୍ରାଧାର

ପୋଛି ଲବକୁଶ ଯୁଗ ଧନ୍ୟ ହେବ ଭବେ,

ଅକାରଣେ କ୍ରୌଞ୍ଚୀ ଶୋକ ନ କଲା ବୈଧବ୍ୟେ ।

ଭାବ ଭୀରୁ ଭୀମ ଭୁଜେ ଦଳୁଛ ଦରପେ,

ଅସହାୟ, ହୀନ, ଭୟେ ପରାଣ ଅରପେ;

ଚିରଦିନ ସମତୁଲ ନ ଥିବ ତୁମର,

କେବେ ତୁମେ ତଳେ, କେବେ ହେବି ମୁଁ ଉପର;

ତୁମରି କିରୀଟ ମୋର ହେବ ଶିରଶୋଭା,

ମୋହରି ମୋହିନୀ ଦିନେ ହେବ ମନୋଲୋଭା ।

ଆଜି ଯା’ରେ ପଦାଘାତ,

କାଲି ତା’ର ଧରି ହାତ

 

ଆଦରେ ଅଞ୍ଚଳନିଧି ଅଙ୍କ ଆସନରେ

ରଖିବ ରତନ ସମ ସ୍ନେହ ଯତନରେ ।

(୧୩)

ବଳି ! ପଦଦଳା ତବ ସହିବି ନୀରବେ,

ଗୋଟିଏ କଥା ମୋ’ ମୁଖେ ନ ଶୁଣିବ ଭବେ,

ତଥାପି ନିଃଶ୍ୱାସ ମୋର ଫଟାଇ ପାଷାଣ

କରିବ ବିଦୀର୍ଣ୍ଣ ତବ ଅହଂକାର ପ୍ରାଣ ।

ଆଜି ଯାକୁ ତୃଣ ସମ କର ତୁଚ୍ଛ ହେୟ,

କାଲି ସେହି ହେବ ତବ ଶ୍ରେୟ ତବ ପ୍ରେୟ;

ଆଜି ଯେ ତୁମର ବନ୍ଦୀ କଠିନ ଶୃଙ୍ଖଳେ,

କାଲି ପୂଜାଫୁଲ ଦେବ ତା’ରି ପାଦତଳେ ।

ଆଜି ତୁମେ ଯାର ରାହୁ,

କାଲି ତବ ପ୍ରେମବାହୁ

କରି ଆଲିଙ୍ଗନ ତା’କୁ ଦେବ ଦେବାସନ,

ତା’ ଗୁଣେ ମୋହିବ ତବ ମୂଢ଼ ଅନ୍ଧ ମନ ।

(୧୪)

ଅସ୍ପୃଶ୍ୟ ଇତର ମୁହିଁ ଘୃଣିତ ଚଣ୍ଡାଳ,

କରେ ପରିଷ୍କାର ତବ ନରକ ଜଞ୍ଜାଳ;

କାନ୍ଧେ ବହିନିଏଁ ବୋଲି ପ୍ରଖର ଖରାରେ

‘‘ବେହେରା, ବେହେରା’’ ଡାକ ଶୁଣାଅ ଶ୍ରଦ୍ଧାରେ ।

ମୁହିଁ ପଦସେବାକାରୀ

ଭୃତ୍ୟ, ପୂଝାରୀ, ଭଣ୍ଡାରୀ,

ବୋଲାଉଛ ବାବୁ ବସି ଉଚ୍ଚ ଆସନରେ,

ଲାଜ ଲୁଚାଅ କିନ୍ତୁ ମୋ ଦତ୍ତ ବସନରେ;

ମୋ ଦତ୍ତ ଅଶନ ପୁଣି ନିୟତ ଭୋଜନ,

ତୁଙ୍ଗ ପ୍ରାସାଦରେ ତୁମେ ତଳେ ମୋ ରୋଦନ ।

(୧୫)

ଅରାଧ ଐଶ୍ୱର୍ଯ୍ୟ ତବ, ମୁଁ ହୀନ ମୂଲିଆ,

ତୁମେ ଶୁଭ୍ର ସିଂହାସନେ, ମୁଁ ପାଦତଳିଆ;

ମୋ ରକତ-ସିନ୍ଧୁ ମନ୍ଥିଦରପ-ମନ୍ଦରେ

ଦୁଇଦିନ ହସୁଥାଅ ଭାସି ଅମୃତରେ ।

ଚୋରାଇ ଚନ୍ଦ୍ରମାଶିରୀ ବୋଲାଅ ଦେବତା,

ହୁଏଁ ମୁଁ ଲାଞ୍ଛିତା ଚିର ପଦଅବନତା ।

ଉଠିବ ଉଠିବ ଭାସି

ବରାଳ ଗରଳରାଶି

ନୀଳକଣ୍ଠ ଲୋଡ଼ା ତହିଁ ହୋଇବ ତୁମ୍ଭର,

ବେଳହୁଁ ଦୁର୍ବାର ତବ ବାସନା ସମ୍ୱର;

 

 

ନୋହିଲେ ଭୀଷଣ ଋଣ ସୁରାସୁରଗଣେ

ରଚିବ ଶ୍ମଶାନ ତବ ମନ୍ଦାର-ନନ୍ଦନେ ।

(୧୬)

କର୍ଣ୍ଣ ବାହୁବଳେ ଆଜି ତେଜୀ ଦୁର୍ଯ୍ୟୋଧନ

କୃଷ୍ଣାର୍ଜ୍ଜୁନେ ହେୟ ଜ୍ଞାନ କରେ ତୃଣ ସମ,

ନ ଭାଳୁଛ ମନେ ଅଛି ‘ଆଞ୍ଜଳିକ’ ଶର,

ଅଭିମନ୍ୟୁ ବଧ ଶୋଧ ଲଭିବି ନିଜର ।

ଜତୁସଦନ ଦହନ!

ଭୀମ ଗଦାରେ ଭଗନ–

ହେବ ସେ ଗର୍ବିତ ଜାନୁ, ତେଜିବ ଜୀବନ,

ଅନ୍ୟାୟ-ଆହବେ ପରା ବଳାଇଛ ମନ !

(୧୭)

ଚିରଦିନ ଚାନ୍ଦ କା’ର ନ ଭଦେ ଆକାଶେ,

ଚିରଦିନ ନ ଭାସେ କେ ସମ୍ପଦ ବିଳାସେ,

ଚିର ପରାଜିତ ନୁହେ ନ୍ୟାୟ ଯୁଧିଷ୍ଠିର,

ଚିର ମନ୍ତ୍ରେ ନ ଭୁଲିବ କେହି ଶକୁନିର ।

ଥାଉ ତବ ପକ୍ଷେ ଲକ୍ଷ ନାରାୟଣୀ ସେନା,

ଏକା ନାରାୟଣ ମୋର ରକ୍ଷା ବଜ୍ର-ସେହ୍ନା;

ଥାଆନ୍ତୁ ସହସ୍ର ରଥୀ,

ଏକା ମୋ ରଥ ସାରଥୀ ।

ନିରସ୍ତ୍ର ନିର୍ଦ୍ଦ୍ୱନ୍ଦ୍ୱ କୃଷ୍ଣ କ୍ଷୁଦ୍ର ବଂଶୀଧାରୀ,

ଗୀତା ଗାନେ ପ୍ରାଣେ ମୋର ବର୍ଷୁ ଶାନ୍ତିବାରି ।

(୧୮)

ଭାଳି ମୋ ମୁର୍ଖତା ସୁଖେ ଦିଅ କରତାଳି,

ମରେଁ ମୁଁ ଦରିଦ୍ର କ୍ଷୋଭେ ଚିତ୍ତେ ଚିତା ଜାଳି;

ନାହିଁ ମୋର ବାସ, ଅଛି ମହାକାଶ ତଳେ,

ନାହିଁ ମୋର ହେମଶଯ୍ୟା, ଶୁଏଁ ମୁଁ ଭୂତଳେ;

ଶୀତ ଖରା ବରଷାରେ

ପ୍ରକୃତିର ଅତ୍ୟାଚାରେ

କ୍ଷୀଣ ଅଙ୍ଗଶିରୀ ସରି ଆୟୁ ଯାଏ ହରି,

ତଥାପି ବଞ୍ଚିବି ନିଶ୍ଚେଁ ଏ କଷଣେ ମରି ।

ମରଣ ନୁହେ ମୋ କ୍ଳେଶ,

ନୁହେ ତା ବିନାଶ, ଶେଷ,

ଅଦ୍ଭୁତ ସୁନ୍ଦର ନବ ଜୀବନ ଆରମ୍ଭ,

ମୋ ମରଣେ କିନ୍ତୁ ତବ ଜୀବ କି ସମ୍ଭବ ?

(୧୯)

ସମ୍ୱଳହୀନର ଶେଷ ଆଶାର ସମ୍ୱଳ

କାଢ଼ିନେଲ ଶୀତେ ଯଥା ଶୀତାର୍ତ୍ତ-କମ୍ୱଳ;

ଭାବିଲ ମହତ ଏକ କରମ ସାଧିଲି,

ବୈରଭାବେ ହୀନ ଅରି ଜୀବନ ବଧିଲି,

କିନ୍ତୁ ‘ରକ୍ତବୀଜ’ କେବେ ମରି ସେ ନ ମରେ,

ଶତ ଶତ ଦୈତ୍ୟ ଜାତ ବିନ୍ଦୁଏ ରକ୍ତରେ।

ଖଡ଼୍‌ଗ ହସ୍ତେ ହାଣି ଶିର

ବୁହାଇଲ ଯେ ରୁଧିର,

ବିନ୍ଦୁ ସିନ୍ଧୁ ହୋଇ ଶେଷେ ବୁଡ଼ିବ ଆପଣ,

ଲଭିବ ତ ପ୍ରତିଫଳ କୃପାରେ କୃପଣ ।

(୨୦)

ପଦେ ଦଳି ଫୁଲ ଗୋଟି ହେଲା କି ଗୌରବ,

ମଥିତ ବ୍ୟଥିତ ତା’ର ସ୍ଫୁରିଲା ସୌରଭ;

ମରି ସେ ମରିଲା ନାହିଁ,

ହଜାଇଲା କାହିଁପାଇଁ

ତାର ଶୋଭାଶିରୀ ହାସ ଅକାଳେ ହେଳାରେ,

କିଏ ଜିତେ କିଏ ହାରେ ବୁଝ ଏ ଖେଳାରେ ।

ନିଜର ଆନନ୍ଦ-ଧନ ସାରିଲ ତୁଚ୍ଛାକୁ,

ନିଜ ହସ୍ତେ ଜିହ୍ନା ଛେଦିକହିବ କାହାକୁ ?

 

 

 

(୨୧)

ଭାବିଲ ବୁଡ଼ିବି ପରା କଦଳୀ ଭେଳାରେ,

ଅନନ୍ତ ଅମ୍ବୁଧି ତଳେ ଚାହିଁବ ଗେହ୍ଳାରେ;

..........................., ନିଷ୍ଠୁର କାଣ୍ଡାରି !

............................., ସାରିବ ସଂହାରି

......................, ଅତଳେ କୂଳ

..........................., ମୋ ଭରସା ଠୁଳ,

ହେଲାଣି ଅଭୟ ପାଦେ, ଦୟାର ଠାକୁର,

ଶୁଣିଲେଣି କାକୁ ମୋର, ଶୁଣ ଶୁଣ କ୍ରୂର !

(୨୨)

ଯଦି ମହଭାରତର ମହାସିନ୍ଧୁ ଜଳେ

ବୁଡ଼ି ମୁଁ ଚିତ୍କାରେ କାନ୍ଦେ କୃପା ପାଦତଳେ,

ତୋଳିନେବେ ବିସ୍ତାରି ସେ ପ୍ରେମମହାବାହୁ,

ଗଉରୀ-ଶେଖରାସନ ହେବେ ଚାହୁଁ ଚାହୁଁ।

ତହିଁ ମାନ-ସରୋବର-କମଳ-ବିଳାସୀ

ମରାଳର କଳଗାନେ ମାନସଉଲ୍ଲାସୀ,

ହେବି ହୈମବତୀସତୀ ତ୍ରିଲୋକପାବନୀ,

ଅକାରଣେ ଏ ପ୍ରଳାପ କରେ ପାଗଳନୀ ।

 

(୨୩)

ବିଶ୍ୱାସ ତାହାର ବିଶ୍ୱରାଜ୍ୟ ବିଧାତାର,

ଚିର ନ ବର୍ତ୍ତିବ ତହିଁ କ୍ରୂର ଅତ୍ୟାଚାର;

ଯେ ହୀନବିଶ୍ୱାସୀ କର୍ମେ ନେଉ ସେ ପରଖି,

ଏତିକି ମାଗୁଣି ମୋର ଅନାଥ ଅରକ୍ଷୀ ।

Image